ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ପୁରୀ ଜିଲ୍ଲାବାସୀ ପାଇବେ ଅତ୍ୟାଧୁନିକ ଚିକିତ୍ସା ସେବା । ମେଡିକାଲ କଲେଜକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ରହିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ । ବିଦ୍ୟାର୍ଥୀଙ୍କ ସହ ଭାବ ବିନିମୟ ମଧ୍ୟ କରିବେ ନବୀନ । ପୁରୀ ବଳିଗୁଆଳି ନିକଟରେ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କଲେଜର ବିଭିନ୍ନ ସେବା ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ।

ପାଞ୍ଚ ମହଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହୋଇଥିବା ବେଳେ ବିଦ୍ୟାର୍ଥୀମାନଙ୍କ ସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ସେହିପରି ପ୍ରଶାସନିକ ଭବନ, କ୍ୟାଣ୍ଟିନ ସମେତ କ୍ଲାସରୁମ, ଲ୍ୟାବ ନିର୍ମାଣ ହୋଇଥିବା ବେଳେ 150 ଛାତ୍ରୀ ଓ 300 ଛାତ୍ରଙ୍କ ପାଇଁ ସୁବିଧା ରହିଛି । ମେଡିକାଲର ସମସ୍ତ ପାଠ୍ୟକ୍ରମ ତଥା ବିଭାଗରେ ପାଠ ପଢ଼ାଇବାକୁ 150 ଜଣ ପ୍ରଫେସର, ବିଶେଷଜ୍ଞ, ସହକାରୀ ପ୍ରଫେସର ଯୋଗ ଦେଇସାରିଲେଣି । ବର୍ତମାନ ପରିପ୍ରେକ୍ଷୀରେ କଲେଜ ସାମୟିକ ଭାବେ ପୁରୀ ଡାକ୍ତରଖାନାରେ ଚାଲୁଥିବା ବେଳେ ଆଗକୁ 650 ବେଡ଼ ବିଶିଷ୍ଟ ନିଜସ୍ବ ଡାକ୍ତରଖାନାରେ ଚାଲିବା ନେଇ ନିର୍ମାଣ ଆରମ୍ଭ ହୋଇଛି । ଲୋକାର୍ପଣ ଉତ୍ସବ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଲେଜ ପ୍ରତିଷ୍ଠା ପୁରୀବାସୀଙ୍କ ଦୀର୍ଘବର୍ଷର ସ୍ୱପ୍ନ ପୂରଣ କରୁଥିବାରୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।