କଟକରେ ମୁଖ୍ୟମନ୍ତ୍ରୀ; ମହାତ୍ମା ଗାନ୍ଧୀଙ୍କ ବ୍ରୋଞ୍ଜ ୱାଲ ଉନ୍ମୋଚନ, ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି କଲେ ଅନାବରଣ

କଟକ: ଉତ୍କଳ ଦିବସ ଅବସରରେ କଟକ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ଗୋପବନ୍ଧୁଙ୍କ ମୂର୍ତ୍ତିକୁ ଅନାବରଣ କରିଥିଲେ । ପରେ ବେଲଭ୍ୟୁ ଠାରେ ନବନିର୍ମିତ ପାର୍କରେ ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକୀ ସ୍ମାରକୀ ବ୍ରୋଞ୍ଜ ୱାଲକୁ ଉଦଘାଟନ କରିଛନ୍ତି ।

୨୮ ଲକ୍ଷ ଟଙ୍କା ବ୍ୟୟରେ ବ୍ରୋଞ୍ଜ ଓ୍ବାଲକୁ ନିର୍ମାଣ କରିଛି ରାଜ୍ୟ ସଂସ୍କୃତି ବିଭାଗ । ଏଥିରେ ୧୦୦ ବର୍ଷ ତଳର ସଭାରେ ମହାତ୍ମା ଗାନ୍ଧି, କସ୍ତୁରବା ଓ ଗୋପବନ୍ଧୁଙ୍କ ଭଳି ଅବିକଳ ନକଲ ଦେଖିବାକୁ ମିଳିଛି । ମହାତ୍ମା ଗାନ୍ଧୀ କଟକ ଗସ୍ତରେ ଆସିଥିବାବେଳେ କାଠଯୋଡି ନଦୀପଠାରେ କଟକବାସୀଙ୍କୁ ଉଦବୋଧନ ଦେଇଥିଲେ । ଏହାର ସ୍ମୃତିକୁ ସାଇତିବା ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବ୍ରୋଞ୍ଜ ଓ୍ବାଲକୁ ନିର୍ମାଣ କରାଯାଇଛି ।

ଏଥି ସହ ଏଠାରେ ନିର୍ମିତ ଏକ ସୁନ୍ଦର ପାର୍କ, ଓପନ ଥିଏଟର ଓ ବାଲୁକା କଳା ମଧ୍ୟ ପାର୍କ ପରିସରରେ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ଦୁଇଟି ସ୍ଥାନକୁ ଗସ୍ତ କରିବା ସହ ଗୋପବନ୍ଧୁଙ୍କ ମୂର୍ତ୍ତି ଏବଂ ସାଧାରଣ ସଭାର ବ୍ରୋଞ୍ଜ ଓ୍ବାଲକୁ ଉଦଘାଟନ କରିଥିଲେ । ଏବଂ ମୁଖ୍ୟମନ୍ତ୍ରୀ ସେଠାରେ ନିଜର ଦସ୍ତଖତ ମଧ୍ୟ କରିଥିଲେ । ସତ୍ୟ ଓ ଅହିଂସା ହେଉଛି ସାରା ବିଶ୍ବକୁ ଭାରତର ଶ୍ରେଷ୍ଠ ଅବଦାନ। ଅହିଂସାର ପୂଜାରୀ ଭାବରେ ମହାତ୍ମା ଗାନ୍ଧୀ ସାରା ବିଶ୍ବକୁ ନୂତନ ଦିଗ୍‌ଦର୍ଶନ ଦେଇଯାଇଛନ୍ତି ଏବଂ ଆଜିର ଦୁନିଆରେ ତାର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଛି ।

ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଆଠ ଥର ଓଡିଶା ଆସିଥିଲେ ଏବଂ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇ ରାଜ୍ୟର ସମସ୍ୟା ସଂପର୍କରେ ଭଲ ଭାବରେ ଅବଗତ ହୋଇଥିଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ମଧ୍ୟ ସେ ଦୃଢ ସମର୍ଥନ ଦେଇଥିଲେ। ଆଜି ଓଡିଶା ଦିବସ ଅବସରରେ ବିଂଶ ଶତାଦ୍ଦୀର ଦୁଇ ମହାପୁରୁଷ ଗାନ୍ଧୀ ଓ ଗୋପବନ୍ଧୁଙ୍କର ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ଦେଶ ଓ ଜାତି ପାଇଁ ଅଧିକ ସମର୍ପିତ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

Leave a Reply