ବଲାଙ୍ଗୀରରେ କାଲି ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାରେ ଆହୁରି ସୁଦୃଢ଼ ହେଉଛି ଓଡ଼ିଶା । ନୂଆ ରୂପ ନେଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ସ୍ମାର୍ଟ ହେଲ୍‌ଥ କାର୍ଡ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ିଛି ନୂଆ ଅଧ୍ୟାୟ। ମାଲକାନଗିରି ଓ ସୁନ୍ଦରଗଡ଼ ପରେ ଆସନ୍ତା ୨୨ ତାରିଖରେ ବଲାଙ୍ଗିରରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ସେପଟେ ଗରିବଙ୍କ ପାଇଁ ସ୍ମାର୍ଟକାର୍ଡ ବଣ୍ଟନକୁ ସହଜରେ ହଜମ କରିପାରୁନାହାନ୍ତି ବିରୋଧୀ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶରେ ଓଡ଼ିଶା ଲେଖିଛି ନୂଆ ଅଧ୍ୟାୟ। ୨୦୧୮ ମସିହାରେ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପ ନେଇଛି । ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶାର ଲକ୍ଷ୍ୟ ରଖି ଅଗଷ୍ଟ ୧୫ରେ ରାଜ୍ୟବାସୀଙ୍କ ପାଇଁ ଏହି ସେବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ମାଲକାନଗିରି ଓ ପରେ ସୁନ୍ଦରଗଡ଼ରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଥିଲା। ପର୍ଯ୍ୟାୟକ୍ରମେ ପୂରା ଓଡ଼ିଶାରେ ଏହି କାର୍ଡ ବଣ୍ଟାଯିବ । ଆସନ୍ତା ୨୨ ତାରିଖରେ ବଲାଙ୍ଗିରରେ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାବାସୀଙ୍କୁ ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଉଛି।

ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଉପକୃତ ହେବେ। ପ୍ରତି ପରିବାରକୁ ୫ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ ହେଲଥ କାର୍ଡ । ଅନ୍ନପୂର୍ଣ୍ଣା, ଅନ୍ତୋଦୟ ହିତାଧିକାରୀଙ୍କୁ କାର୍ଡ ମିଳିବ । ରାଜ୍ୟ ସହ ଦେଶର ୨୦୦ଟି ହସପିଟାଲରେ କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ । ଏହାକୁ କିନ୍ତୁ ବିରୋଧୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ପର୍ଯ୍ୟାୟକ୍ରମେ ରାଜ୍ୟର ୩୦ଟି ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟାଯିବ।

Leave a Reply