ଶିକ୍ଷା ବ୍ୟବସ୍ଥାରେ ନୂତନତ୍ୱ ଓଡିଶାର ୟୁଏସପି

1 min read

ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାରେ ନୂତନତ୍ୱ ଓଡିଶାର ୟୁଏସପି । ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତରଣ ଏବେ କେବଳ ଏକ ସ୍ବପ୍ନ ହୋଇ ରହିନାହିଁ, ଏହାକୁ ବାସ୍ତବତାରେ ପରିଣତ କରାଯାଇଛି । ଓଡିଶାର ଯୁବ ଓ ଦକ୍ଷ ମାନବସମ୍ବଳ ଏବେ ଓ ବିଶ୍ବର ଆବଶ୍ୟକତାକୁ ପୂରଣ କରୁଛି । ମେକ ଇନ ଓଡିଶା କନକ୍ଲେଭରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬ଟି ନୂଆ ଓଡିଶା ଆଦର୍ଶ ବିଦ୍ୟାଳୟ, ୨୯ଟି ନୂଆ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସବୁ ଜିଲ୍ଲାରେ ଗୋଟିଏ ଲେଖାଏଁ ସାଧନ କେନ୍ଦ୍ରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍କୁଲସ୍ତରରେ ଫାଇଭ ଟି ଆଧାରରେ ରୂପାନ୍ତରଣ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ସହ ସରକାରୀ ସ୍କୁଲ ପ୍ରତି ଧିରେ ଧିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରିଛି । ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ଲାବ୍‌ ଓ କ୍ରୀଡା ଭିତ୍ତିଭୂମୀ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ନାମଲେଖା ହାର ବୃଦ୍ଧି କରିଛି ।

ଜାତୀୟ ସ୍ତରରେ ମଧ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ମୋ ସ୍କୁଲ ଅଭିଯାନ ଇତିହାସ ସୃଷ୍ଟି କରିଛି । ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରାୟ ୩୦ ଲକ୍ଷ ପୂରାତନ ଛାତ୍ର ସ୍କୁଲ ଶିକ୍ଷା ସହ ଯୋଡି ହୋଇଛନ୍ତି । ରାଜ୍ୟର ସବୁ ବ୍ଲକରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବା ସହ ଗୋଟିଏ ଆଇକନିକ୍ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରୁଛନ୍ତି । ଦକ୍ଷ ଓ କୁଶଳୀ ଶିକ୍ଷକଙ୍କ ସହଯୋଗରେ ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତରଣ ସମ୍ଭବ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।