କରୋନା ମୁକାବିଲା : ରାଜ୍ୟବାସୀଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର,୨୯/୪(ନନ୍ଦିଘୋଷ ବ୍ୟୁରୋ) – ବିଶ୍ୱ ମହାମାରୀର ରୂପ ନେଇଥିବା କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମସ୍ତ ଉଦ୍ୟମ ଅବ୍ୟାହତ ରଖିଛନ୍ତି। କେବଳ ଉଦ୍ୟମ ନୁହେଁ , ଓଡିଶାବାସୀଙ୍କ ମନରେ ଏହାର ସଫଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନିୟମିତ ବ୍ୟବଧାନରେ ବାର୍ତା ମଧ୍ୟ ପ୍ରଦାନ କରୁଛନ୍ତି । ଯାହା ଅଗଣିତ ଓଡ଼ିଆବାସୀ, ସ୍ବାସ୍ଥ୍ୟ କର୍ମୀ , ସ୍ୱେଚ୍ଛାସେବୀଙ୍କୁ ପ୍ରେରଣା ଯୋଗାଉଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ବୁଧବାର ଦେଇଥିବା ବାର୍ତାରେ ଆଗାମୀ ଦିନରେ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକଦା ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡ଼ରିବାର କିଛି ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡେଇ ପାରିବା ।

https://www.facebook.com/NandighoshaTV/videos/543025516355334/

 

ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡିଆ ଭାଇଭଉଣୀଙ୍କ ଯତ୍ନ ନେବା । ଓଡିଶା ପ୍ରଥମ ରାଜ୍ୟ, ଯିଏ କି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କଲା। ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ , ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ।
ତା ପରେ ଚ୍ୟାଲେଞ୍ଜ ହେଲା ନିଜାମୁଦିନ୍‌ରୁ ଫେରୁଥିବା ବନ୍ଧୁ ମାନଙ୍କ ଠିକ୍‌ ଭାବରେ ଯତ୍ନ ନେବା। ମୁଁ ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କଲି । ଆପଣମାନେ ସହଯୋଗ କଲେ । ଆମେ ଏଥର ମଧ୍ୟ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ ।
ଏବେ ଆମର ତୃତୀୟ ଆହ୍ବାନ ହେଉଛି, ପଶ୍ଚିମବଙ୍ଗରୁ ଫେରୁଥିବା ଭାଇଭଉଣୀ ମାନଙ୍କର ଯତ୍ନ । ରାଜ୍ୟରେ ବର୍ତ୍ତମାନ କରୋନା ପଜିଟିଭ ମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦ । ଆପଣମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ । ପରିସ୍ଥିତି ନିୟନ୍ତ୍ରଣରେ ଅଛି ।

https://www.facebook.com/NandighoshaTV/videos/2294485410855261/

ସେହିଭଳି ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡିଆ ଭାଇଭଉଣୀ ରାଜ୍ୟକୁ ଫେରିବେ। ସେମାନେ ଆମ ଘର ଲୋକ। ବିପଦ ସମୟରେ ମା ଓ ମାତୃଭୂମି ଆଗ ଆମ ମନକୁ ଆସିଥାଏ । ସେମାନେ ସମସ୍ତେ ଆମର ପିଲାଛୁଆ । ଆମ ଭାଇଭଉଣୀ । ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ବ। ବାହାରୁ ଲୋକ ଆସିଲେ ପଜିଟିଭ ସଂଖ୍ୟା ବଢିବ। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ, ଯଦି ରାଜ୍ୟବାସୀ ସରକାରକୁ ପୁରା ସହଯୋଗ ଯୋଗାଇ ଦେବେ।

୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ : ମୁଖ୍ୟମନ୍ତ୍ରୀ

ତେଣୁ ଆମେ ସାବଧାନ ରହିବା । ଧୈର୍ଯ୍ୟ ରଖିବା । ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା । ସେମାନଙ୍କୁ କ୍ୱାରେଣ୍ଟାଇନ୍‌ ରଖିବାରେ ସରକାରଙ୍କୁ ପୂରା ସହଯୋଗ କରିବା । ଏହାଦ୍ୱାରା ସେମାନେ ସୁସ୍ଥ ରହିବେ । ଆମ ପରିବାର ସୁସ୍ଥ ରହିବ। ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ। ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇ ପାରେ । ଏହା ହେଉଛି ଜୀବନ ଓ ମୃତ୍ୟୁର କଥା । ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ବାରା, ସମସ୍ୟା ୧୦୦ ଗୁଣ ବଢିଯିବ ବୋଲି ଆଶଙ୍କା କରାଯାଉଛି। ଜାତୀୟସ୍ତରରେ ତୁଳନା କଲେ ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ଅଛି । ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୂରା ସହଯୋଗ ଯୋଗାଇ ଦେବା, ତେବେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

Leave a Reply