ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ନେଇ ଦାବି କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଆଜି ଲୋକସେବା ଭବନର କନଭେନସନ୍‌ ସେଣ୍ଟରରେ ପୂର୍ବାଞ୍ଚଳ ଜୋନାଲ ପରିଷଦର ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ ।

ଅନୁଷ୍ଠିତ ବୈଠକରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ନେଇ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବାରୁ ଏଭଳି ମାନ୍ୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ପୌର ପରିଷଦକୁ ଅନୁଦାନ ପ୍ରଦାନରେ ବିଳମ୍ବ, ଧାନ ସଂଗ୍ରହରେ ରିହାତି ପ୍ରଦାନ କରାଯାଉନଥିବା ଏବଂ ରେଳବାଇ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହୁଥିବା ପ୍ରସଙ୍ଗ ଉଠାଇଥିଲେ ନବୀନ। ସାରା ଦେଶରେ ପୂର୍ବ ଭାରତରେ ଟେଲି ଯୋଗାଯୋଗ, ବ୍ୟାଙ୍କ, ରେଳ ଓ ସଡ଼କ ପଥ ଘନତା ସବୁଠାରୁ ନିମ୍ନସ୍ତରରେ ରହିଛି। ଏହିସବୁ କ୍ଷେତ୍ର ପାଇଁ କେନ୍ଦ୍ରୀୟ ଅନୁଦାନ ୨ଗୁଣା କଲେ ହିଁ, ଜାତୀୟ ମାନଦଣ୍ଡ ସହ ସମତୁଲ ହୋଇପାରିବ। ଏହି ସବୁ ଅଞ୍ଚଳର ଅର୍ଥନୈତିକ ବିକାଶର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଉଚିତ୍‌। ୨୦୧୨ରୁ କୋଇଲା ରୟାଲିଟିର ସଂଶୋଧନ ହୋଇନାହିଁ। ଏହାର ସଂଶୋଧନ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ହୋଇପଡିଛି। ଓଡିଶାକୁ କ୍ଲିନ୍‌ ଏନର୍ଜି, ସେସ ପ୍ରଦାନ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବାଞ୍ଚଳରେ ଦେଶର ସର୍ବାଧିକ ଅନୁସୂଚିତ ଜାତି, ଜନଜାତି ଅଞ୍ଚଳ ରହିଛି। ତେଣୁ ହୋ, ଭୂମିଜ ଏବଂ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ନବୀନ ଦାବି କରିଛନ୍ତି। ଜଗନ୍ନାଥଙ୍କ ଭୂମିରେ ପୂର୍ବାଞ୍ଚଳ ପରିଷଦ ବୈଠକ ପାଇଁ ସୂଯ଼ୋଗ ମିଳିଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ଆର୍ଥିକ ଭିତ୍ତିଭୂମି ଓ ବୈଷୟିକ କ୍ଷେତ୍ରରେ କେନ୍ଦ୍ର, ରାଜ୍ୟ ଓ ଆନ୍ତଃରାଜ୍ୟ ସମନ୍ୱୟ ସୃଷ୍ଟି କରିବା ଆବଶ୍ୟକତା ରହିଛି। ଏହାଦ୍ଵାରା ରାଜ୍ୟ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ଆବେଗପୂର୍ଣ୍ଣ ସମନ୍ୱୟ ଦୃଢୀଭୂତ ହେବ ବୋଲି ନବୀନ କହିଛନ୍ତି।

Leave a Reply