‘ଓଡ଼ିଶାର ପରିବର୍ତ୍ତନ କାହାଣୀ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି’ 

1 min read

ଭୁବନେଶ୍ବର: ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଲାଇଟ୍ ଫେଷ୍ଟରେ ଅତୀତର ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶାର କାହାଣୀ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ଖାଦ୍ୟ ଉତ୍ପାଦନ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ହେଉ, ମହିଳା ସଶକ୍ତିକରଣ ହେଉ ବା ସ୍ବାସ୍ଥ୍ୟସେବା, ଖେଳ, ଶିକ୍ଷା ଅବା ସେବା ପ୍ରଦାନ, ଓଡ଼ିଶା କେମିତି ଦେଶ ତଥା ଦୁନିଆ ପାଇଁ ଉଦାହରଣ ପାଲଟିଛି ତାହା ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ କହିଛନ୍ତି, ‘ସମୃଦ୍ଧ କଳା, ସଂସ୍କୃତି, ସାହିତ୍ୟ ଓ ପରମ୍ପରା ପାଇଁ ମୋ ରାଜ୍ୟ ଓଡ଼ିଶା ସମ୍ମାନିତ ହୋଇ ଆସିଛି । ସାରା ଦୁନିଆରେ ଲକ୍ଷ ଲକ୍ଷ ଲୋକଙ୍କ ଚେତନା ଉପରେ ଏହାର ପ୍ରଭାବ ରହିଛି । ଆଜି ଓଡ଼ିଶା ପରମ୍ପରା ଓ ଆଧୁନିକତା ମଧ୍ୟରେ ରହିଛି, ଯାହା ଜୀବନରେ ଅନେକ ରଙ୍ଗ ଭରି ଦେଉଛି । ବିଂଶ ଶତାବ୍ଦୀ ଆରମ୍ଭରେ, ଓଡ଼ିଶା ମାଟିର ମହାନ ଲେଖକ ଫକୀର ମୋହନ ସେନାପତି ‘ରେବତୀ’ ଲେଖିଥିଲେ । ଏଥିରେ ରେବତୀ ପଢ଼ିବାକୁ ସାହସ ଦେଖାଇବା ପାଇଁ ଅଭିଶାପ ପାଇଥିଲେ । ସେ ସମୟରେ ଏହା ହିଁ ଥିଲା ଓଡ଼ିଶାର ସତ୍ୟ । ହେଲେ ଏହାର ତୁଳନା ଏକବିଂଶ ଶତାବ୍ଦୀରେ କରମା ମୁଦୁଲିଙ୍କ କାହାଣୀ ସହ କରନ୍ତୁ । ସୁଦୂର ଆଦିବାସୀ ଇଲାକାରୁ ରାଜଧାନୀର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ପଢ଼ିବାକୁ ଆଓି ପାରୁଛନ୍ତି । ଏ ହେଉଛି ବର୍ତ୍ତମାନର ଓଡ଼ିଶା, ଯେଉଁଠି ଭରି ରହିଛି ବହୁତ ସମ୍ଭାବନା ।’

ଆଗକୁ ସେ କହିଥିଲେ, ‘କଳାହାଣ୍ଡି ଏକ ଗରିବ ଜିଲ୍ଲା ଭାବେ ବର୍ଷ ବର୍ଷ ଧରି ପରିଚିତ ହୋଇ ଆସୁଥିଲା । ଏବେ ଏହି ଜିଲ୍ଲା ଓଡ଼ିଶାର ଏକ ପ୍ରମୁଖ ଚାଉଳ ଉତ୍ପାଦନକାରୀ ଜିଲ୍ଲା । ଯିଏ ନ୍ୟାସନାଲ ଫୁଡ ଡିଷ୍ଟ୍ରିବ୍ୟୁସନ କାର୍ଯ୍ୟକ୍ରମରେ ଓଡ଼ିଶାର ଯୋଗଦାନରେ ସହାୟକ ହୋଇପାରିଛି । ଆଜି ଓଡ଼ିଶା ଖେଳର ହବ ପାଲଟିଛି । ଜାତୀୟ ଓ ଅନ୍ତର୍ଜାତୀୟ କ୍ରିଡା ସଂଗଠନ ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶାକୁ ପସନ୍ଦ କରୁଛନ୍ତି । କୋଭିଡ-୧୯ ମହାମାରୀର ଦ୍ବିତୀୟ ଲହର ସମୟରେ ଆମ ପଦକ୍ଷେପ ଉପରେ ନଜର ପକାନ୍ତୁ । ଲୋକଙ୍କ ଜୀବନ ବଞ୍ଚାଇବାକୁ ପୂରା ଦେଶକୁ ଅକ୍ସିଜେନ ଯୋଗାଇବାର ନେତୃତ୍ବ ନେଇଥିଲୁ । ଆଜି ଓଡ଼ିଶା ନିବେଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ବିଭିନ୍ନ କ୍ଷେତ୍ରରେ ଆମେ ଯେଉଁ ଉଚ୍ଚତା ଛୁଇଁଛୁ, ଏମିତି ଅନେକ କାହାଣୀ ଏହାକୁ ପ୍ରମାଣିତ କରୁଛନ୍ତି ।’

ସେ କହିଥିଲେ, ‘ବର୍ଷ ବର୍ଷ ଧରି ଓଡ଼ିଶା ଦେଶର ବିକାଶରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଏହାକୁ ଆଗକୁ ବଢ଼ାଇ ଚାଲିଛି । ସମାନତା ଓ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଆମେ ଅତ୍ୟାଧୁନିକ ଟେକ୍ନୋଲଜି ସହ କାମ କରିବାକୁ ସକ୍ଷମ । ଖାଦ୍ୟ ଉତ୍ପାଦନ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ହେଉ, ମହିଳା ସଶକ୍ତିକରଣ ହେଉ ବା ସ୍ବାସ୍ଥ୍ୟସେବା, ଖେଳ, ଶିକ୍ଷା ଅବା ସେବା ପ୍ରଦାନ ପୂରା ରାଜ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆମ ପରିବର୍ତ୍ତନର କାହାଣୀ ଦେଶ ଓ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ଲୋକଙ୍କ ଜୀବନ ପ୍ରତି ଆମର ଆନ୍ତରିକତା, ସହଯୋଗ ଓ ସମ୍ମାନକୁ ଦର୍ଶାଉଛି । ଏକ ଆତ୍ମବିଶ୍ବାସୀ ଓଡ଼ିଶାର କାହାଣୀ ବାସ୍ତବରେ ପ୍ରରଣାଦାୟୀ ।’

ଏହାସହ ସେ ମୁଁ ଦି ନ୍ୟୁ ଇଣ୍ଡିଆ ଏକ୍ସପ୍ରେସକୁ ୧୦ମ ସଂସ୍କରଣ ପାଇଁ ଅଭିନନ୍ଦନ ଜଣାଇବା ସହ ଏହା ଆହୁରି ଆଗକୁ ବଢୁ ବୋଲି କହି ଶୁଭକାମନା ଜଣାଇଥିଲେ ।