ମୁକ୍ତା ଯୋଜନାରେ ଚମକିବ ମ୍ୟୁନସିପାଲଟି, ଦ୍ବିତୀୟ ପର୍ଯ୍ୟାୟରେ ବ୍ୟୟ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଆଉ ୧୦ ଜିଲ୍ଲାର ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ମୁକ୍ତା ଯୋଜନାରେ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ମୁକ୍ତା ଯୋଜନାରେ ଆଉ ୧୦ ଜିଲ୍ଲାର ୪୨ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ୧୮୩ ଦଶମିକ ୮୧ କୋଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ୨୦୨୩-୨୪ ବର୍ଷ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଟଙ୍କା ମଞ୍ଜୁର କରାଯାଇଛି । ଏହି ୧୦ ଜିଲ୍ଲା ହେଲା- ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ ।

ମୁକ୍ତା ଯୋଜନାରେ ୱାର୍ଡୱାରି ୪୨ଟି ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ସବୁ ପ୍ରକଳ୍ପ ପାଇଁ ଜରୁରୀ ଅନୁସାରେ ଯାହା ସମ୍ଭବ ହେବ ଓ ପରିବେଶକୁ ନଜରରେ ରଖାଯିବ । ସେସବୁ ପ୍ରକଳ୍ପର ପ୍ଲାନ୍ ସ୍କ୍ରିନିଂ ହେଉଛି । ମଞ୍ଜୁର ପାଉଥିବା ପ୍ରକଳ୍ପ ମିଶନ ଶକ୍ତିଙ୍କ ଦ୍ବାରା କାର୍ଯ୍ୟକାରୀ ହେବ । ପ୍ରକଳ୍ପ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜୁନ ୯ରେ ଜନ ପ୍ରତିନିଧିମାନଙ୍କ ସହ 5T ସଚିବ ଭି.କେ ପାଣ୍ଡିଆନ ଆଲୋଚନା କରିଥିଲେ ।

ଏହି ପ୍ରକଳ୍ପରେ ମିନି ପାର୍କ, ଓପନ୍ ଜିମ୍, ଚାଇଲ୍ଡ ପ୍ଲେ ଷ୍ଟେସନ, ଖେଳ ପଡ଼ିଆ, ଭେଣ୍ଡିଂଜୋନ୍ ରହିଛି । ବହୁମୁଖୀ କମ୍ୟୁନିଟି ସେଣ୍ଟର, ୱାଲ ପେଣ୍ଟିଂ, ସୌନ୍ଦର୍ଯ୍ୟକରଣ ଓ ଶ୍ରମିକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ବା ମୁକ୍ତାକୁ ୧୮ ଏପ୍ରିଲ ୨୦୨୦ରେ ଲୋକାର୍ପିତ କରିଥିଲେ । ଶୀଘ୍ର ଗରିବ ଓ ବେରୋଜଗାରଙ୍କୁ କାମ ଦେବା ଲକ୍ଷ୍ୟରେ ଏହି ଯୋଜନା ହୋଇଥିଲା । ପୂର୍ବରୁ ପଥମ ପର୍ଯ୍ୟାୟରେ ୩୭ ପୌରାଞ୍ଚଳ ପାଇଁ ୪୨୩ କୋଟି ୮୭ ଲକ୍ଷ ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ୧୦ ଜିଲ୍ଲାର ବାକି ୩୬ ULB ପାଇଁ ଟଙ୍କା ମଞ୍ଜୁର କରିବେ ନବୀନ ।