‘କାଳିଆ’ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: କାଳିଆ ଯୋଜନାର ଭୂମିହୀନ କୃଷକ ପରିବାର ପାଇଲେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା । ୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରାଯାଇଛି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକୃତ ହେବେ । ଏଥିରେ ପ୍ରତ୍ୟେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପାଇବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ଚାଷୀ, ଶ୍ରମିକ ଓ ମଜଦୁରମାନଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଆମ ଅର୍ଥନୀତି ନାଭିକେନ୍ଦ୍ର । । ଏ ସମସ୍ତଙ୍କ ତ୍ୟାଗ ହିଁ ଆମ ଅର୍ଥନୀତିକୁ ସମୃଦ୍ଧ କରିଥାଏ । କୃଷି କ୍ଷେତ୍ରର ସବୁ ସଫଳତା ପଛରେ ଭୂମିହୀନ ଚାଷୀର ତ୍ୟାଗ ଓ ପରିଶ୍ରମ ରହିଛି । ଆମେ ତା’ର ତ୍ୟାଗକୁ ସମ୍ମାନ କରୁ । ତା’ର ସ୍ଵାର୍ଥର ସୁରକ୍ଷା ପାଇଁ ଆମର ଲଢେଇ ଜାରି ରହିଛି । ଏମ୍‌ଏସ୍ ସ୍ୱାମୀନାଥନ୍ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ସବୁବେଳେ ଦାବି କରି ଆସିଛନ୍ତି । ଏହା ପୂରଣ ହେଲା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି । କାଳିଆ ଯୋଜନା ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଆଣିଛି ଓ ମନରେ ଭରସା ଦେଇଛି । ବର୍ତ୍ତମାନ କୋଭିଡ ଯୋଗୁଁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଢିଛି । ପ୍ରଥମ ଲହରରେ କୃଷି ହିଁ ଆମ ଅର୍ଥନୀତିକୁ ବଞ୍ଚାଇ ଥିଲା । ଦ୍ଵିତୀୟ ଲହରରେ ଲକଡାଉନ ସଟଡାଉନ ଯୋଗୁଁ ଲୋକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡିଛି । ସେଥିପାଇଁ ରାଜ୍ୟ ସରକାର ଚାଷୀ, ଶ୍ରମିକ, ଉଠା ଦୋକାନୀ, ଦୁଗ୍ଧ ଚାଷୀ ଆଦି ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ କୋଭିଡ ପ୍ୟାକେଜ ଘୋଷଣା କରିଛନ୍ତି । କୋଭିଡ ବିରୋଧରେ ଲଢେଇ କେବଳ ସରକାର ବା ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀ ମାନଙ୍କର ନୁହେଁ । ଏହା ଆମ ସମସ୍ତଙ୍କର ଲଢେଇ । ତେଣୁ ଏହି ଲଢେଇରେ ବିଜୟ ପାଇଁ ଚାଷୀ ଭାଇ ମାନେ ସମସ୍ତେ ଟିକା ନେବା ସହିତ କୋଭିଡର ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ଜଣ ଭୂମିହୀନ ଚାଷୀଙ୍କ ସହିତ କାଳିଆ ଯୋଜନାର ସୁଫଳ ବିଷୟରେ ଆଲୋଚନା କରିଥିଲେ । ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ସିଧାସଳଖ ଜମା କରାଯାଇଛି । କାଳିଆ ଯୋଜନାରେ ଚାଷୀମାନେ ୩ ଟି କିସ୍ତି ରେ ୧୨,୫୦୦ ଟଙ୍କା ପାଇଥାନ୍ତି । ସୂଚନାଯୋଗ୍ୟ ଯେ ବଳରାମ ଯୋଜନାରେ ମଧ୍ୟ ଭୂମିହୀନ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟ ପାଇଁ କୃଷିଋଣ ସହାୟତା ଯୋଗାଇ ଦିଆଯାଉଛି ।

ଏଥିସହିତ ପଢ଼ନ୍ତୁ: ପକ୍କା ଘର ମିଳିବା ପରେ ବି ବସ୍ତି ଛାଡ଼ୁନାହାନ୍ତି : ଭଡ଼ାରେ ଲଗାଉଛନ୍ତି ଘର

Leave a Reply