ମହାମାରୀରେ ବେକାର ବସିବେନି ଶ୍ରମିକ: ମନରେଗା ଶ୍ରମିକଙ୍କ ପାଇଁ ୩୫୨ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: କୋଭିଡ ମହାମାରୀ ଭଳି କଠିନ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି । ମନରେଗା ଅଧିନିୟମ ଅନୁଯାୟୀ ନିଶ୍ଚିତ ୧୦୦ ଦିନର କାର୍ଯ୍ୟ ସହିତ ୨୦୦ ଦିନର ଅତିରିକ୍ତ କାର୍ଯ୍ୟଦିବସ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବ୍ୟୟବରାଦ କରିଛନ୍ତି ।
୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଉକ୍ତ ଯୋଜନାର ଅଗ୍ରଗତିରେ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଜୁଲାଇ ପହିଲା ସୁଦ୍ଧା ୫.୦୩ କୋଟି ଶ୍ରମଦିବସ ସୃଷ୍ଟି ହୋଇଥିଲା । ୨୦୨୧-୨୨ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ୭ କୋଟି ୫ ଲକ୍ଷ ୯୩ ହଜାର ୩ ଶହ ଶ୍ରମଦିବସ ସୃଷ୍ଟି ହୋଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ ହାସଲ ହୋଇଛି । ଚଳିତବର୍ଷ ୩୨ ଲକ୍ଷ ୧୮ ହଜାର ୫ ଜଣଙ୍କୁ ନିଯୁକ୍ତି ଯୋଗାଇ ଦିଆଯାଇଛି । ୧୪୪୮ କୋଟି ୭୯ ଲକ୍ଷ ଟଙ୍କା ମଜୁରି ଆକାରରେ ପ୍ରଦାନ କରାଯାଇଛି । ଆର୍ଥିକ ବର୍ଷ ୨୦୨୧-୨୨ ସମୟରେ ରାଜ୍ୟ ମନରେଗାର ବିଭିନ୍ନ ପାରାମିଟରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଶ୍ରମଦିବସ ସୃଷ୍ଟିରେ ଶ୍ରେଷ୍ଠ ଚାରିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ଗରିବ ଲୋକମାନଙ୍କର ଜୀବନ ଜୀବିକା ଏବଂ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ଜଳାଶୟଗୁଡ଼ିକର ନବୀକରଣ, ଜଳଛାୟା ପରିଚାଳନା,ଉଦ୍ୟାନକୃଷି ବୃକ୍ଷରୋପଣ, ରାସ୍ତାକଡ଼ ବୃକ୍ଷରୋପଣ, ଜଙ୍ଗଲ ସୃଷ୍ଟି, ପୋଖରୀଖନନ, ନଳକୂପ, ଜମିର ବିକାଶ, ନଡ଼ିଆ ଚାଷ, ସବୁଜ ଗୋଖାଦ୍ୟ ଫସଲ ଚାଷ ଇତ୍ୟାଦି ବିଭିନ୍ନ କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦିଆଯାଇଅଛି । ଏଥିସହ ଦିବ୍ୟାଙ୍ଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ମହିଳା ହିତାଧିକାରୀଙ୍କୁ ନିଯୁକ୍ତି ଯୋଗାଇବା ଉପରେ ଧ୍ୟାନ ଦିଆଯିବା ସହ ସେମାନଙ୍କ ଜୀବନ ଜୀବିକାକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ, ୩୭.୫ ୨ ଲକ୍ଷ ପରିବାରର ୬୨.୨୫ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇଦେଇ ମଜୁରି ବାବଦରେ ୪୬୮୩.୬୮ କୋଟି ଟଙ୍କା ବ୍ୟୟ ବରାଦ କରିବା ସହ ସର୍ବମୋଟ 20 କୋଟି ଶ୍ରମଦିବସ ସୃଷ୍ଟି କରି ରାଜ୍ୟ ଉତ୍କର୍ଷତା ପ୍ରଦର୍ଶନ କରିଛି । ଦାଦନ ରୋକିବା ପାଇଁ ବଲାଙ୍ଗିର, ବରଗଡ, କାଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ୨୦ଟି ଦାଦନ ପ୍ରବଣ ବ୍ଲକରେ ୨୦୧୯-୨୦ ଆର୍ଥିକ ବର୍ଷରୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ବଜେଟରୁ ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ମଜୁରି ହାରରେ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାର ଉପଲବ୍ଧିକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

Leave a Reply