ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୪ଜଣଙ୍କ ମୃତ୍ୟୁ ଘଟଣା: ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ରାଉରକେଲା ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍‌  ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ସେପଟେ ଘଟଣାରେ ସେଲ୍ ପକ୍ଷରୁ ଉଚ୍ଚସ୍ତରୀୟ କମିଟିର ତଦନ୍ତ ଆରମ୍ଭ ହୋଇଛି । ୩ଜଣ ଚିଫ୍ ଜେନେରାଲ ମ୍ୟାନେଜର ଦୁର୍ଘଟଣାର ତଦନ୍ତ ଆରମ୍ଭ କଲେ । ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ । ତଦନ୍ତ ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ରାଉରକେଲା ଇସ୍ପାତ କାରଖାନା ପିଆର ବିଭାଗରୁ ସୂଚନା ମିଳିଛି । ସକାଳୁ କୋଲ୍ କେମିକାଲ ଡିପାର୍ଟମେଣ୍ଟ ବା ସିସିଡି ବିଭାଗରେ ଗ୍ୟାସ ଲିକ୍ ହେବାରୁ ସମସ୍ତ ୪ଜଣ ଗୁରୁତର ହୋଇପଡିଥିଲେ । ସମସ୍ତଙ୍କୁ ଗୁରତର ଅବସ୍ଥାରେ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସମସ୍ତ ୪ ଜଣ ଠିକା କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ମୃତକ ୪ଜଣ ହେଲେ ବ୍ରହ୍ମାନନ୍ଦ ପଣ୍ଡା, ଗଣେଶ ଚନ୍ଦ୍ର ପାହିଲ, ଅଭିମନ୍ୟୁ ଶାହା ଓ ରବୀନ୍ଦ୍ର ସାହୁ । ଠିକା କର୍ମଚାରୀ ମୃତ୍ୟୁ ପରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଗ୍ୟାସ ଲିକ ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଶ୍ରମିକ ସଂଗଠନ । ସେହିପରି ମୃତ ଠିକା କର୍ମଚାରୀଙ୍କ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ରାଉରକେଲା ଇସ୍ପାତ କାରଖାନାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି । ଗ୍ୟାସ୍ ଲିକର କାରଣ ଅସ୍ପଷ୍ଟ ଥିବା ବେଳେ, ଆରଏସପିର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି । ଘଟଣା ପରେ ଆଇଜିଏଚ ଓ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପଶ୍ଚିମାଞ୍ଚଳ ପୋଲିସ ଆଇଜି କବିତା ଜଲାନ ।

ଏଥିସହିତ ପଢ଼ନ୍ତୁ: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍, ୪ ଠିକା କର୍ମଚାରୀଙ୍କ ମୃତ୍ୟୁ

Leave a Reply