୧୦ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଓଡ଼ିଶାରେ ମଧ୍ୟ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳଙ୍କ ସହି କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସରକାରୀ ତଥା ବେସରକାରୀ ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦ୍ୱିତୀୟ ଲହରୀର ସର୍ବୋଚ୍ଚସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁର ଆବଶ୍ୟକତା ହୋଇଥିଲା, ଅତି କମ୍‌ରେ ସେତିକି ପରିମାଣର ଶଯ୍ୟା ଓ ଆଇସିୟୁ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଜନସାଧାରଣଙ୍କ ଟିକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାମ୍ପେନ ମୋଡରେ କାମ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ୧୫ ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟିକାକରଣ ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୂତାଣୁ ସଂକ୍ରମଣକୁ କମ୍ କରିବା ପାଇଁ ଆମକୁ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପଡିବ। ତେବେ ଏଥିରେ ଯେପରି ଜନସାଧାରଣଙ୍କର ଜୀବିକା ଉପରେ କୌଣସି ପ୍ରଭାବ ନ ପଡେ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ ଓମିକ୍ରନ୍ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଅଳ୍ପ ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଉଛି । ଦେଶରେ ଖୁବ ଶୀଘ୍ର ଲକ୍ଷ ଲକ୍ଷ ସଂଖ୍ୟାରେ କୋଭିଡ ରୋଗୀ ସଂକ୍ରମଣ ଦେଖା ଦେଇପାରେ। ଓଡିଶାରେ ମଧ୍ୟ ଓମିକ୍ରନ ରୋଗୀଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଛି। ତେଣୁ ଜନସାଧାରଣଙ୍କୁ ବିଶେଷ ଅସୁବିଧାରେ ନ ପକାଇ କୋଭିଡର ଉତ୍ତମ ପରିଚାଳନା ପାଇଁ ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଛନ୍ତି ।

ଗତ ସପ୍ତାହ ସମୀକ୍ଷା ବୈଠକରେ କେତେକ ପ୍ରସ୍ତୁତିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ପ୍ରକାଶ କରି ଏଗୁଡିକର କାର୍ଯ୍ୟାନ୍ବୟନ ପାଇଁ ମୁଖ୍ୟ ଶାସନ ସଚିବ ପ୍ରତିଦିନ ସମୀକ୍ଷା ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗତ ଲହରୀ ସମୟରେ ଅକ୍ସିଜେନ ପରିଚାଳନା, ସୂଚନା ଅଭିଯାନ, ଟ୍ରେନିଂ ମଡ୍ୟୁଲ ଆଦି ବ୍ୟବସ୍ଥା କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ବର୍ତ୍ତମାନ ପୁଣି ଅଧିକାରୀମାନଙ୍କର ବିଭିନ୍ନ ମନିଟରିଂ ଗ୍ରୁପ ଓ ଜିଲ୍ଲାସ୍ତରୀୟ ଅବଜରଭର ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେହେତୁ ଏହି ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାର ସମ୍ଭାବନା ରହିଛି, ତେଣୁ ସବୁ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମକୁ ପାଳନ କରିବା ଏବଂ ଦାୟିତ୍ୱରେ ଥିବ ଅଧିକାରୀମାନଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନେବା ପାଇଁ ସମସ୍ତ ସଂପୃକ୍ତ ପଦାଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କୋଭିଡ କଟକଣା ପାଳନ ସମୟରେ ଘର ଭିତର ଓ ବାହାରରେ ଲୋକଙ୍କ ଭିଡ ଉପରେ ନଜର ରଖିବା ପାଇଁ ମତ ଦେଇଥିଲେ। ଯେଉଁ ପଦକ୍ଷେପ ଦ୍ୱାରା କୋଭିଡ ସଂକ୍ରମଣର ନିୟନ୍ତ୍ରଣ ହୋଇପାରିବ, ତା ଉପରେ ଧ୍ୟାନ ଦେବାକୁ ସେ କହିଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ, ପୋଲିସ ଡିଜି, ସୁନ୍ଦରଗଡ, ବଲାଙ୍ଗୀର, ଗଞ୍ଜାମ ଓ ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ ତଥା ବିଏମସି ଓ ସିଏମସିର କମିଶନର ସେମାନଙ୍କ ଅଞ୍ଚଳରେ ନିଆଯାଉଥିବା ବିଭିନ୍ନ ପଦକ୍ଷପ ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଯୋଗ ଦେଇଥିଲେ ।

Leave a Reply