କେନ୍ଦ୍ର ପାଖରେ ପଡି ରହିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ନବୀନ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ଚତୁର୍ଥ ଦିନ । ଆଜି ନବୀନ କେନ୍ଦ୍ର ସରକାରଙ୍କ ପାଖରେ ପଡି ରହିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଂକରେ 5T ସଚିବ ଭିକେ ପାଣ୍ଡିଆନ, ଦିଲ୍ଲୀସ୍ଥିତ ରେସିଡେଣ୍ଟ କମିଶନର ରବିକାନ୍ତଙ୍କ ସମେତ  ଦିଲ୍ଲୀ ନୋଡାଲ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଅଗ୍ରଗତି ବିଷୟରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀଙ୍କର କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏଥିରେ ସେ ବକେୟା ପାଉଣା ସହ ପଡି ରହିଥିବା ପ୍ରକଳ୍ପ ବାବଦରେ ଦାବି ଉଠାଇବେ ।  ରିପୋର୍ଟ ଅନୁଯାୟୀ, କୋଇଲା ରୟାଲିଟି, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସମୁଦ୍ର ଉପକୂଳରେ ସ୍ଥାୟୀ ପ୍ରତିକାର, ରେଳବାଇ କ୍ଷେତ୍ରରେ ଚରମ ଅବହେଳା, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ, ଧାନ କିଣା ପାଇଁ ଅର୍ଥ ଠିକ୍ ସମୟରେ ନଦେବା, ବଳକା ଚାଉଳ ସଂଗ୍ରହ ନ କରିବା, ଚାଷୀଙ୍କ ବୀମା ରାଶି ନ ମିଳିବା, ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ସାମିଲ କରିବା ନେଇ ମୁଖ୍ୟମନ୍ତ୍ରୀ ଦାବି ଉଠାଇବେ । ପକ୍କାଘର ବ୍ୟବସ୍ଥାରେ ବି ଟାଳଟୁଳ ନୀତି ଆପାଣାଉଛନ୍ତି କେନ୍ଦ୍ର ସରକାର । ରାଜ୍ୟର କୋଟାକୁ କାଟିଦେବା, ବିଭିନ୍ନ ଆଳ କରି ଓଡ଼ିଶାର ହିତାଧିକାରୀଙ୍କୁ ପକ୍କାଘରରୁ ବଂଚିତ କରିବା ପ୍ରସଙ୍ଗରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ନବୀନ ।

ଏହା ବ୍ୟତୀତ ଗଞ୍ଜାମର ଗୋପାଳପୁରରୁ ବାଲେଶ୍ୱରର ଦୀଘା ପର୍ଯ୍ୟନ୍ତ ସମୁଦ୍ର କୂଳେ କୂଳେ କୋଷ୍ଟାଲ ହାଇୱେର ବାସ୍ତବ ରୂପ ନେଇ ମଧ୍ୟ ଆଲୋଚନା କରାଯାଇପାରେ । ଆଲୋଚନା ବେଳେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର କଥାକୁ ନବୀନ ଉପସ୍ଥପନା  କରିବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ଯୋଜନାରେ ଧାର୍ଯ୍ୟ ଟଙ୍କା ଦେଉନି କେନ୍ଦ୍ର । ଏପରିକି ୧୨ଟି ବିଭାଗର ୪ହଜାର ୬୨୫ କୋଟି ଟଙ୍କା ବାକି ପଡ଼ିଛି । ଏ ନେଇ ମଧ୍ୟ ନବୀନ ଧ୍ୟାନ ଆକର୍ଷଣ କରିପାରନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।