ବରଗଡ଼ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପଦମପୁର: ପଦମପୁରରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଜିତାଇ ଥିବାରୁ ପଦମପୁରବାସୀଙ୍କୁ ଜଣାଇବେ ଧନ୍ୟବାଦ । ଝାରବନ୍ଧ, ପାଇକମାଳ ଓ ପଦମପୁରରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ । ଏଥିସହ ମିଶନ ଶକ୍ତି ଏସଏଚଜି ଗ୍ରୁପଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ।

ବରଗଡ଼ ସୀତାଭାଟି ଏୟାରଷ୍ଟ୍ରିପରେ ବିମାନରେ ଯାଇ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟରରେ ଝାରବନ୍ଧ ଯାତ୍ରା କରିବେ । ହେଲିକପ୍ଟରରେ ଯାଉଥିଲେ ବି ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ରାସ୍ତାରେ ଲାଗିଛି ପଦମପୁରବାସୀଙ୍କ ଲମ୍ବା ଲାଇନ୍ । ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ପଦମପୁର ଆସିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ସବୁଠି ନବୀନଙ୍କ ଜୟ ଜୟ ଧ୍ବନୀ ଶୁଣିବାକୁ ମିଳୁଛି ।

ଦିନ ୧୧ଟାରେ ବରଗଡ଼ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ସାଢେ ୧୧ଟାରେ ଝାରବନ୍ଧ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ । ସାଢେ ୧୨ ଟାରେ ପାଇକମାଳ ଓ ଅପରାହ୍ନ ୩ ଟା ୫୫ରେ ପଦମପୁର କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ । ସେଠାରେ ସମାବେଶରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ପଦମପୁରବାସୀଙ୍କୁ ଜଣାଇବେ ଧନ୍ୟବାଦ । ଝାରବନ୍ଧ ବ୍ଲକର ଶକ୍ତି ଛକ ପଡିଆ, ପାଇକମାଳ ହାଇସ୍କୁଲ ପଡିଆ ଓ ପଦମପୁର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ପଦମପୁର ବାସୀଙ୍କୁ ଧନ୍ୟବାଦ ଦେବେ  । ପଦମପୁର ବାସୀ ପୁଣି ଥରେ ନବୀନଙ୍କ ବିକାଶରଧାରା ସାମିଲ ହୋଇ ବର୍ଷା ସିଂ ବରିହାଙ୍କୁ ବିଜୟୀ କରିଥିବାରୁ ଧନ୍ୟବାଦ ଜଣାଇବେ ମୁଖ୍ୟମନ୍ତ୍ରୀ । ଉପନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦମପୁର ଅଞ୍ଚଳ ଗସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ  । ଆଜି ଦେଇଥିବା କଥା ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ  ।

ଶାନ୍ତି ଶୃଙ୍ଖଳାର ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ଶେଷ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି । ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୫ ଜଣ ଆଡିସନାଲ ଏସପି, ୧୬ ଜଣ ଡିଏସପି ମୁତୟନ ହୋଇଛନ୍ତି ।