କଟକଣା ମଧ୍ୟରେ ଚାଲିଛି ରଜ ପାଳନ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ଆଜି ପହିଲି ରଜ । କରୋନା କଟକଣା ପାଇଁ ଚଳିତବର୍ଷ ମଧ୍ୟ ଫିକା ପଡ଼ିଛି ରଜ ପର୍ବ । ତଥାପି ପରମ୍ପରା ପାଳିବାକୁ ଘରେ ଘରେ ଚାଲିଛି ପ୍ରସ୍ତୁତି । ପିଠାପଣା ସାଙ୍ଗକୁ ରଜପାନରେ ମହକିବ ପରିବେଶ । ନୂଆ ପୋଷାକ ପିନ୍ଧି, ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ଦୋଳିରେ ଝୁଲିବା ସହ ଖେଳିବେ ଝିଅ  ଓ ବୋହୂ । ଘରେ ଘରେ ସ୍ୱତନ୍ତ୍ର ପୋଡପିଠା ସାଙ୍ଗକୁ ମଣ୍ଡା, ଏଣ୍ଡୁରୀ, ଚକୁଳି ଓ ନାନାଦି ମିଠା ପ୍ରସ୍ତୁତି ହେଉଛି  । କରୋନା ପାଇଁ ବାହାରେ ରଜ ପାଳିବାକୁ ବାରଣ କରାଯାଇଥିବାରୁ ଘର ଭିତରେ ଘରଲୋକଙ୍କ ସାଥିରେ କଟକଣା ଭିତରେ ରଜ ପାଳୁଛନ୍ତି ଲୋକେ ।

ଅପରପକ୍ଷରେ ଓଡ଼ିଆଙ୍କ ଗଣ ପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଶୁଭେଚ୍ଛା ବାର୍ତ୍ତାରେ ରାଜ୍ୟବାସୀ ବିଶେଷକରି ମା’ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରଜ ପୃଥିବୀମାତାଙ୍କ ଉପାସନା ତଥା ନାରୀତ୍ୱର ମହନୀୟତାର ପର୍ବ । ସମାଜ ପାଇଁ ନାରୀର ଅବଦାନକୁ ସମ୍ମାନ ଜଣାଇବାର ପର୍ବ । ଏହି ଅବସରରେ ଆସନ୍ତୁ, ଛୋଟ ଛୋଟ ଝିଅଙ୍କ ଠାରୁ ଆରମ୍ଭ କରି ଆମର ମା’ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପୋଷଣ, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରତି ଯତ୍ନବାନ ହେବା ଏବଂ ସେମାନଙ୍କ ପାଇଁ ସୁନ୍ଦର ଭବିଷ୍ୟତ ଓ ଏକ ସୁସ୍ଥ ସମାଜ ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏଥିସହିତ କୋଭିଡ ପରିପ୍ରେକ୍ଷୀରେ ସମସ୍ତ ନିୟମ ପାଳନ କରି ଘରେ ରହି ରଜ ପାଳିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

Leave a Reply