ସେମାନେ ରାସ୍ତା ଉପରେ ଏଇଥିପାଇଁ ଯେ, ଆପଣ ଘର ଭିତରେ ସୁରକ୍ଷିତ ରହିବେ,କିନ୍ତୁ ଆପଣ ବୁଝିବାକୁ ନାରାଜ

1 min read

ଓଡ଼ିଶା ପୋଲିସ ରାସ୍ତାରେ ଅଛି । କେବଳ ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା ପାଇଁ । ଏମିତି କିଛି ଭାବନାତ୍ମକ ସନ୍ଦେଶ ଦେଉଥିବା ଭିଡିଓକୁ ଆପଣ ଲକ୍ ଡାଉନ ଭିତରେ ନିଶ୍ଚୟ ଦେଖି ସାରିବେଣି । ଲକ୍ ଡାଉନରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ପୋଲିସର ଲୋକଙ୍କୁ ମାଡ ମାରିବା ଠିକ୍ ନୁହେଁ । ଏମିତି ଅନେକ କଥା କୁହାଯାଉଛି । ଆପଣ ମଧ୍ୟ ସୋସିଆଲ ମିଡିଆରେ ଏମିତି କମେଣ୍ଟ୍ ଦେଇଥିବେ । ପୋଷ୍ଟ କରିଥିବେ । ଲାଇକ୍ ,କମେଣ୍ଟ୍ ମଧ୍ୟ ପାଇଥିବେ । ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ମନୋଭାବରେ କିଛି ପରିବର୍ତ୍ତନ ଆସିଛି କି ?

Police Appeal People To Stay Home For Coronavirus

ଜନସାଧାରଣଙ୍କ ପାଇଁ ଦିନରାତି କାମ କରୁଛନ୍ତି ପୋଲିସ । ନିଜ ବ୍ୟକ୍ତିଗତ ସମସ୍ୟାକୁ ଏଡାଇ ଲୋକଙ୍କ ସେବାରେ ଅହରହ ଲିପ୍ତ ରହିଛନ୍ତି । ଜନସାଧାରଣକୁ ଘରେ ରହିବାକୁ ଅପିଲ କରିଛନ୍ତି ପୋଲିସ । #Stayhome #Staysafe #COVID-19 #NandighoshaTV

Nandighosha TV यांनी वर पोस्ट केले रविवार, ५ एप्रिल, २०२०

ଯଦି ଆସିଛି ତେବେ ଭଲ କଥା । ଯଦି ଆସିନାହିଁ ତେବେ ଆପଣଙ୍କ ମନ ମସ୍ତିଷ୍କରେ କିଛି କେମିକାଲ ଲୋଚା ରହିଛି । ତେଣୁ ଆପଣ ସାଧାରଣ କଥାକୁ ମଧ୍ୟ ଆପଣ ସରଳତାର ସହ ବୁଝି ପାରୁ ନାହାନ୍ତି । ଆପଣଙ୍କ ଭଳି ଖାକି ପୋଷାକ ତଳେ ଥିବା ଲୋକର ମଧ୍ୟ ଗୋଟିଏ ପରିବାର ଅଛି । ଆପଣଙ୍କ ଭଳି ସେ ମଧ୍ୟ ପରିବାର ସହ ସମୟ ବିତାଇବାକୁ ଚାହାନ୍ତି । କିନ୍ତୁ ଆପଣ ଓ ଆପଣଙ୍କ ପରିବାର ପାଇଁ ସେ ଏବେ ବାହାରେ । ଢୁ ଢୁ ଖରାରେ ସେ ବ୍ୟାରିକେଡ୍ ପାଖରେ ଛିଡା ହୋଇଛନ୍ତି ,କାହା ପାଇଁ ଆପଣଙ୍କ ପାଇଁ । କିନ୍ତୁ ଆପଣ ପାଖ ଦୋକାନରୁ ପରିବା ନକିଣି ବାଇକ୍ ଧରି ବାକି ଦିନ ଭଳି ଦୁର ହାଟକୁ ଯିବେ । ରାସ୍ତାରେ ଯଦି ଆପଣଙ୍କୁ କାରଣ ପଚରାଯାଏ,ତେବେ ଆପଣଙ୍କ ଇଗୋ ନିହାତି ହର୍ଟ ହେବ । ହେବନି କେମିତି ? ଏହା ସ୍ୱାଧୀନ ଦେଶ । ଗୋଟିଏ ସମ୍ବିଧାନ ଅଛି । ଆଉ ସେଇ ସମ୍ବିଧାନ ପ୍ରଦତ୍ତ ଅଧିକାରକୁ ଖାକି କେମିତି ଦଳି ଦେଇ ପାରେ ? ଏସବୁ ଭାବି ଆପଣ ପ୍ରତିକ୍ରିୟାଶୀଳ ହୁଅନ୍ତି । କିନ୍ତୁ କେବେ ଭାବିଛନ୍ତି ଏହା ଅସାଧରଣ ପରିସ୍ଥିତି  । ଦୁନିଆ ଦୁଇ ଦୁଇଟି ବିଶ୍ୱଯୁଦ୍ଧ ଦେଖିଛି । ଭାରତ ଚାରିଟି ଯୁଦ୍ଧ ଲଢିଛି । କିନ୍ତୁ କେବେ ମଧ୍ୟ ରେଳ ବନ୍ଦ ହୋଇନଥିଲା । କେବେ ମଧ୍ୟ କାରଖାନାର ଚିମିନିରୁ ଧୂଆଁ ବାହାରିବା ବନ୍ଦ ହୋଇନଥିଲା । ଅଧିକରୁ ଅଧିକ ଭାରତ ଲଢିଥିବା ଯୁଦ୍ଧ କାଳରେ ରାତିରେ ବ୍ଲାକ୍ ଆଉଟ୍ ହେଉଥିଲା । ଏବେ କିନ୍ତୁ ଲକ୍ ଡାଉନ୍ । ଆପଣ କିନ୍ତୁ ଲକ୍ ଡାଉନକୁ ଫୁ କରି ଉଡାଇ ଦେବେ । ଆପଣଙ୍କ ପାଇଁ ଲକ୍ ଡାଉନର କିଛି ଅର୍ଥ ନାହିଁ । ଆପଣ ଆପଣଙ୍କ ଜୀବନକୁ ସେମିତି ଯିଇଁବାକୁ ଚାହିଁବେ ଯେମିତି ଆଗରୁ ଯିଉଁଥିଲେ ।

ଆପଣ ଯଦି ଏମିତି ଭାବୁଛନ୍ତି ତେବେ ଓଡ଼ିଶା ପୋଲିସର ଏହି ଭିଡିଓ କେବଳ ଆପଣଙ୍କ ପାଇଁ । ଆପଣଙ୍କ ଭଳି ସେମାନଙ୍କର ମଧ୍ୟ ପରିବାର ଅଛି । ଆପଣଙ୍କ ଭଳି ସେମାନେ ମଧ୍ୟ ନିଜ ପରିବାର ସହ କିଛି ସମୟ ବିତାଇବାକୁ ଚାହାନ୍ତି । କିନ୍ତୁ ସେମାନେ ସେ ସମୟ ପାଇବେ ନାହିଁ । କାରଣ ଆପଣଙ୍କ ଭଳି ୧୦ ପ୍ରତିଶତ ଲୋକ ସନ୍ଧ୍ୟା ଓ ସକାଳେ ଘେରାଏ ବାଇକରେ ବୁଲିବେ । ଖଟି କରିବେ । ଆଉ ଖାସ ସେଇଥିପାଇଁ ସେମାନଙ୍କୁ ୨୪ ଘଣ୍ଟା ଡ୍ୟୁଟି କରିବାକୁ ପଡିବ ।

ଆପଣ ଲକ୍ ଡାଉନ୍ ମାନିଲେ ନାହିଁ  । ଆପଣ ସଟ୍ ଡାଉନ ଖବର ଶୁଣି କଟକରେ ବାଲିଯାତ୍ରାର ଭ୍ରମ ସୃଷ୍ଟି କଲେ । ଏମିତି ବ୍ୟବହାର କଲେ ଯେମିତି ଦୁଇ ଦିନ ପାଇଁ ପରିବା ମାର୍କେଟ୍ ବନ୍ଦ ହେବନି ସବୁ ଦିନ ପାଇଁ ବନ୍ଦ ହୋଇଯିବ । ଆପଣଙ୍କ ଘରେ ପରିବା ନଥିବା ଭଳି ବଜାରରେ ଭିଡ ଜମାଇ ଦେଲେ । ସାମାଜିକ ଦୂରତା କଥାକୁ ଭୁଲିଗଲେ । କଣ କେବଳ ଆପଣଙ୍କ ପରିବାର ଅଛି ? ଆପଣଙ୍କ ଭଳି ପରିବା କିଣିବାକୁ ଯଦି ଡ୍ୟୁଟି ଛାଡି ପୋଲିସ ଚାଲିଯାନ୍ତି ତେବେ କଣ ହେବ ? ଭାବନ୍ତୁ ଓ ବୁଝନ୍ତୁ । ଆପଣ ଯଦି ରାସ୍ତା ଉପରକୁ ଆସିବା କମ କରିବେ ତେବେ ଜରୁରୀକାଳିନ ସେବାରେ ସାମିଲ ଥିବା ପୋଲିସ ଓ ଅନ୍ୟମାନଙ୍କୁ ସୁବିଧା ହେବ । କାରଣ ସେମାନେ ରାସ୍ତା ଉପରେ ଆପଣଙ୍କ ପାଇଁ ଛିଡା ହୋଇଛନ୍ତି । ଅତିକମରେ ଏହି ବିଶ୍ୱ ସଂକଟକାଳରେ ଟିକିଏ କମ ସ୍ୱାର୍ଥପର ହୁଅନ୍ତୁ । ଯଦି ସ୍ୱାର୍ଥପର ହେଉଛନ୍ତି ତେବେ ନିଜ ଘର ପାଇଁ ହୋଇ ଘରେ ରୁହନ୍ତୁ ।

Leave a Reply