ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ନୂଆଦିଲ୍ଲୀ: ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଯାଇ ଭଉଣୀ ଗୀତାଙ୍କ ଶେଷ ଦର୍ଶନ କରିଛନ୍ତି ନବୀନ । ଏହାସହ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକରେ ଗଭୀର ମର୍ମାହତ ଥିବା ପ୍ରକାଶ କରିଛନ୍ତି ।

ଗତକାଲି ଦିଲ୍ଲୀ ସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ଗୀତା ମେହେଟ୍ଟାଙ୍କ ପରଲୋକ ଘଟିଥିଲା । ଆଜି ସକାଳୁ ଗୀତାଙ୍କ ଶେଷ ଦର୍ଶନ କରିବାକୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ, ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଯାଇଥିଲେ । ସେଠାରୁ ଗୀତାଙ୍କ ବାସଭବନରେ ପହଞ୍ଚି ଭଉଣୀଙ୍କ ଶେଷ ଦର୍ଶନ କରିଛନ୍ତି । ଆସନ୍ତାକାଲି କରାଯିବ ଗୀତାଙ୍କ ଅନ୍ତିମ ସାଂସ୍କାର ।

ସୂଚନାଯୋଗ୍ୟ, ଗୀତା ଏକାଧାରରେ ଜଣେ ଲେଖିକା, ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଥିଲେ । ୧୯୪୩ରେ ଜନ୍ମିତ ଗୀତା ଭାରତ ଓ ବ୍ରିଟେନରେ ଶିକ୍ଷା ଲାଭ କରିଥିଲେ । ସେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ତାଙ୍କର କେତେକ ପ୍ରଖ୍ୟାତ ପୁସ୍ତକ ହେଉଛି- କର୍ମା କୋଲା, ସ୍ନେକ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ର, ଦ ଏଟରନାଲ ଗଣେଶ ଇତ୍ୟାଦି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୨୦୧୯ ମସିହାରେ କେନ୍ଦ୍ର ସରକାର ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରି ଗୀତା ଚର୍ଚ୍ଚାକୁ ଆସିଥିଲେ ।

ଗୀତାଙ୍କର ସ୍ବାମୀ ସୋନୀ ମେହେଟ୍ଟାଙ୍କର ଗତ ୨୦୧୯ରେ ପରଲୋକ ହୋଇଥିଲା । ୪୦ ବର୍ଷର ସାହିତ୍ୟ ଜୀବନରେ ଅନେକ ଉଲ୍ଲେଖନୀୟ ପୁସ୍ତକ ରଚନା କରିଥିଲେ ।