ପରିକ୍ରମା ମାର୍ଗରେ ବୁଲିଲେ ମୁଖ୍ୟମନ୍ତ୍ରୀ

1 min read

ପୁରୀ: ଶ୍ରୀମନ୍ଦିର ଚାରିପାଖରେ ପ୍ରଦକ୍ଷିଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିକ୍ରମା ମାର୍ଗରେ ଦୀର୍ଘ ୧ କିଲୋମିଟରରୁ ଅଧିକ ବାଟ ଚାଲିଲେ।  ଅରୁଣ ସ୍ତମ୍ଭ ନିକଟରେ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ, 5T ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ ସେବାୟତମାନେ ମଧ୍ୟ ରହିଥିଲେ । ଜଗନ୍ନାଥ ଭାବ ପ୍ରେମରେ ନିମଗ୍ନ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଆଖିରୁ ଭାବର ଲୁହ ବୋହି ଆସିଥିବା ଦେଖିବାକୁ ମିଳିଥିଲା । ଏହାସହ ଐତିହାସିକ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରିକ୍ରମା ଫଳକକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳକ ଉନ୍ମୋଚନ ସହ ପୂରଣ ହୋଇଛି ଦୀର୍ଘ ଶତାବ୍ଦୀର ଆଶା ଆକାଂକ୍ଷା । ଏହି ପ୍ରକଳ୍ପ ଏବେ ଶ୍ରୀଜିଉଙ୍କ ଦର୍ଶନର ଦେବ ଅନନ୍ୟ ଅନୁଭୂତି ।

୩ ଦିନର ମହାଯଜ୍ଞ ପରେ ଲୋକାର୍ପିତ ହୋଇଛି ପରିକ୍ରମା ପ୍ରକଳ୍ପ । ପୌଷ ସପ୍ତମୀରେ ଲେଖାଯାଇଛି ନୂଆ ଅଧ୍ୟାୟ । ଏଥିସହ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ପରିକ୍ରମା ମାର୍ଗ । ଏହାଦ୍ବାରା ଜଗନ୍ନାଥ ଦର୍ଶନ ସହ ପ୍ରଦକ୍ଷିଣ ସହଜ ହେବ । ଲୋକାର୍ପଣ ଉତ୍ସବରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ । ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଇଛି । ଯଜ୍ଞ ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଯଜ୍ଞ ଓ ଭକ୍ତିପୂତ ପରିବେଶରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ପରିକ୍ରମା ମାର୍ଗ ପ୍ରଦକ୍ଷିଣ, ଜଗନ୍ନାଥ ଧାମ ପ୍ରତି ଆହୁରି ଆବେଗ ବଢ଼ାଇ ଦେଇଥିଲା ।

ଯଜ୍ଞରେ ପୂର୍ଣ୍ଣାହୁତି ପରେ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ପଦକ୍ଷିଣ କରିଥିଲେ ମୁଖ୍ୟମନ୍ତ୍ରୀ । ନାମ ସଙ୍କୀର୍ତ୍ତନରେ ଫାଟି ପଡ଼ିଥିଲା ବଡ଼ ଦାଣ୍ଡ । ଶ୍ରୀମନ୍ଦିର ପରିକର୍ମା ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ପୂର୍ଣ୍ଣାହୁତି ଓ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବକୁ ସଦା ସ୍ମରଣୀୟ ରଖିବା ଭଳି ଭବ୍ୟ ଆୟୋଜନ କରାଯାଇଥିଲା । ମନ୍ତ୍ରଧ୍ବନିରେ ମୁଖରିତ ହୋଇ ଉଠିଥିଲା ଶ୍ରୀକ୍ଷେତ୍ର । ନାମ ସଂକୀର୍ତ୍ତନ ସହ ଭାବଭକ୍ତିରେ ଉଚ୍ଛୁଳି ପଡିଥିଲା ଶଙ୍ଖକ୍ଷେତ୍ର । ଚାରିଦ୍ବାରରେ ଗୁଞ୍ଜରିତ ହୋଇଥିଲା ବେଦଧ୍ବନି । ପରିକ୍ରମା ମାର୍ଗରେ ହୋଇଥିଲା ନାମ ସଂକୀର୍ତ୍ତନ । ଶେଷରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।