ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ପରୀ ମୃତ୍ୟୁ ଘଟଣାର ହେବ SIT ତଦନ୍ତ

ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ଘଟଣାର ହେବ ଏସ୍‌ଆଇଟି ତଦନ୍ତ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ଯେ, ‘ମୋ  ସରକାର କେବେ ବି ଆଇନଶୃଙ୍ଖଳା ଭଙ୍ଗ ହେବାକୁ ଦେଇ ନାହିଁ । ଆଇନର ଶାସନ ସବୁ ବେଳେ ବଜାୟ ରଖିବାକୁ ଉଦ୍ୟମ କରିଛୁ ।’ ଏହାସହ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ ଗୃହ ଚଳାଚଳ ସ୍ୱଭାବିକ ନହେବାରୁ ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ।

ମୁଖ୍ୟମନ୍ତ୍ରୀ ଏସ ଆଇ ଟି ତଦନ୍ତ ଘୋଷଣା ପରେ ପ୍ରତିକ୍ରିୟା ରଖିଲା ବିଜେଡ଼ି  । ଘଟଣାକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି ଏବଂ ସେମାନଙ୍କ ଆଲୋଚନାକୁ ଆସିବାକୁ ଇଚ୍ଛା ନାହିଁ । ଆଜି ଗୃହ ବିଭାଗର ଅତିରିକ୍ତ ବଜେଟ ଉପରେ ଆଲୋଚନା ଥିଲା ଏବଂ ଗୃହ ବିଭାଗ ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏହି ସମୟରେ ମଧ୍ୟ ବିରୋଧୀ ଅନେକ କଥା ଉଠାଇ ପରିଥାନ୍ତେ । କିନ୍ତୁ ବିରୋଧୀ କେବଳ ହଟଗୋଳ କରି ଗୃହକୁ ବନ୍ଦ କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକ।

ସେପଟେ ଘଟଣାର ତଦନ୍ତ ପାଇଁ ନୟାଗଡ଼ରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା । ପରୀ ମୃତ୍ୟୁ ଘଟଣା ତଦନ୍ତର ତଦାରଖ କରିବେ ଜେଠୱା ।  ଏସପିଙ୍କ କାର୍ଯ୍ୟାଳୟରେ ସେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ ।  ଆଜି ବିଧାନସଭାରେ ଏସଆଇଟି ତଦନ୍ତ ଦାବି କରି ହଟ୍ଟଗୋଳ କରିଥିଲା କଂଗ୍ରେସ ।  ବିଜେପି ସଦସ୍ୟ ମଧ୍ୟ ପ୍ରସଙ୍ଗ ନେଇ  ହଟ୍ଟଗୋଳ କରିଥିଲେ ।

ପ୍ରବଳ ହଟ୍ଟଗୋଳ ଯୋଗୁଁ ଆରମ୍ଭରୁ ଗୃହ ପରିଚାଳନା ବ୍ୟାହତ ହୋଇଥିବା ବେଳେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ସେପଟେ ବିଧାନସଭା ଗେଟ୍ ପାଖରେ ପରୀକୁ ନ୍ୟାୟ ଦାବିରେ ପ୍ରତିବାଦ ହୋଇଥିଲା । ୧୫ ବାଇକ୍ ଆରୋହୀଙ୍କ ଗେଟ୍ ପାଖରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କୁ ପୋଲିସ ଅଟକ ରଖିଛି ।

Leave a Reply