ସାମାଜିକ ଆନ୍ଦୋଳନରେ ସାମିଲ ହେବାକୁ ନବୀନଙ୍କ ଆହ୍ୱାନ: କହିଲେ, ସଶକ୍ତ ମହିଳା ସମାଜ ହିଁ ସଶକ୍ତ ଓଡ଼ିଶା ଗଠନ କରିପାରିବେ

ଭୁବନେଶ୍ୱର: ରାଜ୍ୟ ବିଜେଡି ମୁଖ୍ୟାଳୟ ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ପାଳତି ହେଉଛି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରେ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ସଶକ୍ତିକରଣ ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ମହିଳା ଆଗେଇଲେ ଦେଶ ଓ ସମାଜ ଆଗେଇବ । ସେ ଏହି ଅବସରରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମହିଳାଙ୍କ ଉଦ୍ଦେଶ୍ୟରେ କହିଥିବା କଥାକୁ ମଧ୍ୟ ମନେପକାଇଛନ୍ତି । ସେ କହିଥିଲେ ବିଜୁ ବାବୁଙ୍କ ଭାଷାରେ‘ ମୋ ପୂରା ବିଶ୍ୱାସ ଯେଉଁ ମାଆ ଓ ଭଉଣୀମାନେ ନିଜ ଘରକୁ ଅତି ସୁଚାରୁ ରୂପେ ଚଳାଉଛି ସେମାନେ ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦକୁ ମଧ୍ୟ ସମାନ ଦକ୍ଷତାର ସହ ଚଳାଇପାରିବେ ।’ ନବୀନ ଆହୁରି କହିଛନ୍ତି ଯେ,  ମା’ମାନେ ସମାଜର ଚକ ଓ ଅଖ । ସେମାନଙ୍କ ବିନା ପ୍ରଗତିର ରଥ ଆଗକୁ ବଢ଼ିପାରିବନାହିଁ । ବିଜୁ ବାବୁ ୧୯୯୨ ମସିହାରେ ମହିଳାମାନଙ୍କ ପାଇଁ ପଞ୍ଚାୟତ ଓ ପୌରାଞ୍ଚଳ, ସରକାରୀ ଚାକିରିରେ ୩୩ ପ୍ରତିଶତ ସଂରକ୍ଷଣ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଚାଲିଥିବା ଆମ ସରକାର ପଞ୍ଚାୟତ ଓ ପୌରାଞ୍ଚଳରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛି । ପାର୍ଲାମେଣ୍ଟରୁ ବିଧାନସଭାରେ ୩୩ ସଂରକ୍ଷଣ ଦେବା ପାଇଁ ଲଢ଼େଇ କରୁଛୁ  ।ଆମେ କଥା ନୁହେଁ ଆମେ କାମରେ ବିଶ୍ୱାସ କରୁ । ବିଜୁ ଜନତା ଦଳ ଦେଶର ଏକ ମାତ୍ର ଦଳ ଯିଏ ୨୦୧୯ ସାଧାରଣ ନିର୍ବାଚନ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଥିଲୁ । ନିର୍ବାଚନ ଆସିଲେ ଜାତୀୟ ଦଳ ମହିଳା ସଂରକ୍ଷଣ ନେଇ ବଡ଼ ବଡ଼ କଥା କହୁଛନ୍ତି । କିନ୍ତୁ ନିର୍ବାଚନ ସରିଗଲେ ସେ କଥା ଭୁଲି ଯାଉଛନ୍ତି । ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ହେଲେ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ତା’ହାର ସ୍ୱରକୁ ଆହୁରି ଜୋରଦାର କରିବ । ଏବେ ଠାରୁ ଲୋକସଭା, ରାଜ୍ୟସଭା ଓ ବିଧାନସଭାର ପ୍ରତି ଅଧିବେସନରେ ବିଜୁ ଜନତା ଦଳ ମହିଳା ସଂରକ୍ଷଣ ବିଷୟରେ ଜାତୀୟ ଦଳ ମାନଙ୍କୁ ମନେ ପକାଇଦେବ । ପ୍ରତି ସ୍ତରରେ ଏହି ବିଷୟ ଉଠାଯିବ । ମହିଳାମାନଙ୍କୁ ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ରାଜ୍ୟସ୍ତରରେ ଓ ଜାତୀୟସ୍ତରରେ ଲଢ଼େଇ ଜାରି ରଖିବ । ଭାରତର ସବୁ ମହିଳାଙ୍କ ନିକଟରେ ଏହି ସୂଚନା ପହଞ୍ଚାଯିବ । ଗାଁ ଗାଁରେ ଘର ଘରେ ମାଆମାନଙ୍କୁ ସଚେତନ କରାଇବ । ଏହାକୁ ଆମେ ଏକ ଆନ୍ଦୋଳନର ରୂପ ଦେବୁ  । ସମାଜରେ ନରୀର ଗୁରୁତ୍ୱ କେତେ ତାହାର ଆମର ରାକ୍ଷୀ ପୂର୍ଣ୍ଣିମା କହିଥାଏ । ନିଜେ ମହାପ୍ରଭୁ ମଧ୍ୟ ଏହା ସ୍ୱୀକାର କରିଛନ୍ତି  । ଆମ ଓଡ଼ିଶାର ୮୦ ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହେଲେଣି । ସେମାନେ ବିଭିନ୍ନ କ୍ଷେତ୍ରରେ ଯେପରି ଦକ୍ଷତାର ସହ ସେମାନଙ୍କ ଦାୟିତ୍ୱ ତୁଲାଉଛନ୍ତି ଯାହାକୁ ନ ଦେଖିଲେ ବିଶ୍ୱାସ କରିହେବନି ବୋଲି କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବିନା ମହିଳା ସଶକ୍ତିକରଣରେ କୌଣସି ଘର, ସମାଜ, ରାଜ୍ୟ ଓ ଦେଶ ଆଗକୁ ବଢ଼ିପାରିବନାହିଁ । ଆମକୁ ବିଶ୍ୱର ଆଗୁଆ ଦେଶମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ଆମ ମାଆମାନଙ୍କୁ ସେମାନଙ୍କ ହକ୍ ଦେବାକୁ ହେବ । ବିଜୁ ବାବୁଙ୍କ ଆଦର୍ଶରେ ଗଠିତ ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ଦଳ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଲକ୍ଷ ଲକ୍ଷ ଭାଇଭଉଣୀଙ୍କ ପରିଶ୍ରମ ଫଳରେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି । ଆମର ମାଆମାନେ ହିଁ ଏହି ସାମାଜିକ ଆନ୍ଦୋଳନର ଆତ୍ମା । ଏକ ସଶକ୍ତମିହଳା ସମାଜ ହିଁ ସଶକ୍ତ ଓଡ଼ିଶା ଗଠନ କରିପାରିବେ । ଆମେ ସମାଜ ପାଇଁ ପ୍ରିୟ ଓଡ଼ିଶା ପାଇଁ  ମାଆମାନେ ଚାହୁଁଥିବା ପରିବର୍ତ୍ତନ କରିବାକୁ ସାକାର କରିବା ପାଇଁ ଏହି ସାମାଜିକ ଆନ୍ଦୋଳନରେ ସାମିଲ ହେବାକୁ ମାଆ ମାନଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଦଳର ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସଭାପତି ନବୀନ ପଟ୍ଟନାୟକ ।

Leave a Reply