ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା :  ଆଜି ସ୍ବର୍ଗତ ନବକିଶୋର ଦାସଙ୍କ ଦ୍ବାଦଶ କ୍ରିୟା ।  ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ସ୍ୱର୍ଗତଃ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି। ସ୍ମୃତିସଭାରେ ପହଞ୍ଚି ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ନବଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଝାରସୁଗୁଡା ସରବାହାଲ ହାଇସ୍କୁଲ ପଡିଆରେ ଆଜି ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା, ନବ ଦାସଙ୍କ ସମର୍ଥକଙ୍କ ସମେତ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ । ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ପୂର୍ବରୁ ଗତକାଲି ଦିବଙ୍ଗତ ନେତା ନବ ଦାସଙ୍କ ପୁଅ ବିଶାଲ ଓ ଝିଅ ଦୀପାଳି ଦାସ ପ୍ରସ୍ତୁତିର ତଦାରଖ କରିଥିଲେ।

ନବ କିଶୋରଙ୍କ ଦେହାନ୍ତ ପରେ ମୁରବୀଶୂନ୍ୟ ହୋଇଯାଇଛି ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ । ଆଜି ନିଜ ପ୍ରିୟ ନେତାଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ଜନତା । ନବ କିଶୋରଙ୍କୁ ଝୁରୁଛନ୍ତି ଝାରସୁଗୁଡ଼ାବାସୀ । ଆଜି ରାଜ୍ୟର ସବୁ ଦଳର ନେତାଙ୍କ ସହିତ ଝାରସୁଗୁଡ଼ାବାସୀ ସ୍ମୃତି ସଭାରେ ଯୋଗଦେଇ ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।

ଶ୍ରଦ୍ଧାଞ୍ଜଳି ସଭାରେ ଷ୍ଟେଜ ଉପରେ ଭାଷଣ ଦେବାବେଳେ ବାପାଙ୍କୁ ମନେ ପକାଇ ନବଙ୍କ କାନ୍ଦି ପକାଇଥିଲେ ଝିଅ ଦୀପାଳି । କାନ୍ଦି କାନ୍ଦି ସେ କହିଥିଲେ, ‘ମୁଁ କେବେ ଭାବି ନଥିଲି ମୋ ବାପାଙ୍କ ନାଁ ପୂର୍ବରୁ ସ୍ୱର୍ଗତଃ ଲଗାଇବାକୁ ପଡ଼ିବ। ହେଲେ ଆଜି ଲଗାଇବାକୁ ପଡ଼ୁଛି। ଯେତେବେଳେ ବି ମୁଁ ଷ୍ଟେଜ୍‌କୁ ଆସୁଥିଲି କିଛି କହିବା ପାଇଁ, ପଛରେ ବାପା ବସି ମୋ ଭାଷଣ ଶୁଣୁଥିଲେ ଆଉ କହୁଥିଲେ, ଦୀପାଳି ତୁ ଭଲ କହୁଛୁ। ହେଲେ ଆଜି ସେ ମୋ ପାଖରେ ନାହାନ୍ତି। କିନ୍ତୁ ମୁଁ ଜାଣିଛି ଆଜିବି ସେ ମୋ ପଛ ଆଡ଼େ ଛିଡ଼ା ହୋଇଛନ୍ତି। ଆଜି ବି ମୁଁ ଯାହା କହିବି ସବୁ ସେ ଶୁଣୁଛନ୍ତି। ଆଉ ସବୁବେଳେ ବାପା ମୋ ସହ ଅଛନ୍ତି।’