କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବରିଷ୍ଠ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକ ପ୍ରକାଶ । ସ୍ୱର୍ଗତ ନିର୍ମଳା ମିଶ୍ର ଜଣେ ଉଚ୍ଚକୋଟୀର ଗାୟିକା ଭାବରେ ଓଡ଼ିଆ ସଂଗୀତ ଜଗତରେ ସୁନାମ ଅର୍ଜନ କରିଥିଲେ । ୬୦ ଓ ୭୦ ଦଶକରେ ତାଙ୍କ ସଂଗୀତର ମଧୁର ମୂର୍ଚ୍ଛନା ଜନ ମାନସରେ ଏବେ ମଧ୍ୟ ଜୀବନ୍ତ ହୋଇ ରହିଛି । ତାଙ୍କର ସଙ୍ଗୀତ ଗୁଡ଼ିକ ଅତ୍ୟନ୍ତ ଶ୍ରୁତି ମଧୁର ଓ ଶ୍ରୋତା ମାନଙ୍କୁ ଗଭୀର ଆନନ୍ଦ ପ୍ରଦାନ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତାଙ୍କ ବିୟୋଗ ଓଡିଆ ସଙ୍ଗୀତ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ସେ କହିଛନ୍ତି । ନିର୍ମଳାଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସହାନୁଭୂତି ପ୍ରକାଶ କରିଛନ୍ତି ନବୀନ  । ଲୋକପ୍ରିୟ ବଙ୍ଗୀୟ ତତା ଓଡିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ରବିବାର ପରଲୋକ ଘଟିଥିଲା । ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଦକ୍ଷିଣ କୋଲକାତାର ଚେତଲା ଅଞ୍ଚଳରେ ଥିବା ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।