ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ୩୦ ମିନିଟ୍ ହେଲା ଆଲୋଚନା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ରାଜ୍ୟର ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗକୁ ମୋଦିଙ୍କ ନିକଟରେ ଉତଥାପନ କରିଛନ୍ତି ନବୀନ ।
ଆସନ୍ତା ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ଦୁଇ ନେତାଙ୍କ ମଧ୍ୟରେ ଏ ପ୍ରସଙ୍ଗ ଆଲୋଚନା ହୋଇଥିବା ମଧ୍ୟ ସୂଚନା ମିଳୁଛି । ସେପଟେ ବଳକା ଉଷୁନା ଚାଉଳ ପ୍ରସଙ୍ଗ ଠାରୁ କେନ୍ଦ୍ରୀୟ ଅନୁଦାନ ନେଇ ମଧ୍ୟ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
କିଛି ଦିନ ତଳେ ତେଲେଙ୍ଗାନାର ବଳକା ଉଷୁନା ଓ ଅରୁଆ ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି । ହେଲେ ଏଯାଏ ଓଡ଼ିଶାର ବଳକା ଉଷୁନା ଚାଉଳ ଉଠାଉ ନଥିବାରୁ, ପ୍ରଧାନମନ୍ତ୍ରୀଙ୍କ ପାଖରେ ଚାଉଳ ଉଠାଣ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କୋଇଲା ଉତ୍ପାଦନ ରୟାଲଟିରେ ସଂଶୋଧନ ଆସିଲେ, ରାଜ୍ୟକୁ ଅଧିକ ରାଜସ୍ବ ମିଳିବ । ମହାନଦୀ ଜଳ ବିବାଦ ଯୋଗୁ ଖରାଦିନେ ଓଡ଼ିଶା ଜଳକଷ୍ଟ ଭୋଗୁଥିବାରୁ ଏହାର ସମାଧାନ କରି ନ୍ୟାୟ ଦେବା ଦିଗରେ ବି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।