ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା: ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କର

ଭୁବନେଶ୍ୱର: ଡିସେମ୍ବର ୨୬ରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ । ଏହା ପୂର୍ବରୁ ଦଳୀୟ କର୍ମୀ, ନେତା ଓ ଜନସାଧାରଣ ଉଦ୍ଦେଶ୍ୟରେ ପତ୍ର ଲେଖିଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୪ ବର୍ଷ ଧରି ଉତ୍ସର୍ଗୀକୃତ ସେବା ମନୋଭାବ ନେଇ କାମ କରି ଆସୁଥିବା ଏକ ଆଞ୍ଚଳିକ ରାଜନୈତିକ ଦଳ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏଥିପାଇଁ ଦଳୀୟ ସଦସ୍ୟମାନଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହିତ ବାର୍ତ୍ତା ମଧ୍ୟ ଦେଇଛନ୍ତି ।

ବିଜେଡି ଉପରେ ରାଜ୍ୟବାସୀଙ୍କର ଥିବା ଆସ୍ଥାକୁ ବଜାୟ ରଖ। ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କର । ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ସମସ୍ତ କର୍ମୀ ଓ କର୍ମକର୍ତ୍ତାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବାର୍ତ୍ତା ଦେଇଛନ୍ତି । ପ୍ରତିଷ୍ଠା ଦିବସରୁ ହିଁ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଓ ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ପାଖକୁ ଯିବ ଦଳ । ଲୋକଙ୍କ ଅଧିକ ନିକଟତର ହେବା, ଦଳୀୟ ଏକତା ଓ ଶୃଙ୍ଖଳା ବଜାୟ ରଖି ତ୍ୟାଗ ଏବଂ ନିଷ୍ଠାର ସହ ଜନସେବାରେ ପୂର୍ଣ୍ଣପ୍ରାଣରେ ସମର୍ପିତ ହେବା ହିଁ ଦଳର କାର୍ଯ୍ୟ ଖସଡ଼ା ରହିବ ।

ଉଭୟ ବ୍ଲକ୍‌ ଏବଂ ସହରାଞ୍ଚଳରେ ପାଳନ ହେବ ବିଜେଡିର ପ୍ରତିଷ୍ଠା ଦିବସ । ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ଯୁବ, ଛାତ୍ର, ମହିଳା, ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ । କୋଭିଡ୍‌ ନିୟମରେ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଭୁବନେଶ୍ୱରରୁ ଅପରାହ୍ଣ ୪ଟା ୩୦ରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା ଦ୍ୱାରା ଲୋକଙ୍କ ନିକଟତର ହେବା ବିଜେଡି ପ୍ରତିଷ୍ଠା ଦିବସର ଲକ୍ଷ୍ୟ ।

Leave a Reply