‘ଟିକାକରଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟକୁ ଦିଆଯାଉ କ୍ଷମତା’

ଭୁବନେଶ୍ୱର:ବିଶ୍ୱବଜାରରୁ ଟିକା କିଣିବା ନେଇ ଉପୁଜୁଥିବା ସମସ୍ୟାର ସମାଧାନ ଲାଗି ସବୁ ରାଜ୍ୟ ମିଳିତ ଭାବେ ଉଦ୍ୟମ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସବୁ ରାଜ୍ୟକୁ ଆହ୍ବାନ ଦେଇଛନ୍ତି । କେନ୍ଦ୍ର ସରକାର ଭ୍ୟାକ୍ସିନ କିଣିବାକୁ ଚାହୁଁଥିବା ରାଜ୍ୟମାନଙ୍କ ପାଇଁ ବିଶ୍ବ ବଜାରରୁ ଟିକା କିଣି ରାଜ୍ୟଗୁଡିକ ମଧ୍ୟରେ ଯଥାଶୀଘ୍ର ବିତରଣ କରନ୍ତୁ । ଏ ପ୍ରସ୍ତାବ ଉପରେ ରାଜ୍ୟମାନେ ସହମତ ହେଲେ ତୃତୀୟ ଲହର ଆସିବା ପୂର୍ବରୁ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରେ ନବୀନ ଦୁଇଟି କଥା ଉପରେ ଗୁରୁତ୍ୱ ଦେଇଛନ୍ତି । ଗୋଟିଏ ହେଲା କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କ  ଯୋଗାଇ ଦିଅନ୍ତୁ। ଦ୍ୱିତୀୟଟି ହେଲା ଟିକାକାରଣ ଯୋଜନାର ବିକେନ୍ଦ୍ରିକରଣ ସାଙ୍ଗକୁ ଟିକାଦାନ ପଦ୍ଧତ୍ତିକୁ ସରଳିକାରଣ କରି ରାଜ୍ୟକୁ ନିଷ୍ପତ୍ତି ନେବା ପାଇଁ ସୁଯୋଗ ଦେବା । ଉଦାହରଣ ସ୍ୱରୂପ ଆଭ୍ୟନ୍ତରୀଣ ଓ ପାର୍ବତ୍ୟ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ଯଥେଷ୍ଟ ଇଣ୍ଟରନେଟ ସୁବିଧା ନଥିବାରୁ ଟିକା ନେବାପାଇଁ ଅନଲାଇନ ପଞ୍ଜୀକରଣ କରିପାରୁନାହାନ୍ତି । ତେଣୁ ସେମାନଙ୍କୁ ଟିକା ପ୍ରଦାନ ପାଇଁ ରାଜ୍ୟ ସରକାର ନିଜସ୍ୱ ନୀତି ଗ୍ରହଣ କରିବାକୁ ଅନୁମତି ପ୍ରଦାନ କରିବା ଆବଶ୍ୟକ । ଏହି ଦୁଇଟି ପ୍ରସ୍ତାବକୁ ଗୁରୁତ୍ୱ ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ ବ୍ୟକ୍ତିଗତ ଭାବେ ଟେଲିଫୋନରେ କଥା ହୋଇଛନ୍ତି । ଏହି ୬ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ ମଧ୍ୟ ଅଛନ୍ତି । ସ୍ବାଧୀନତା ଆନ୍ଦୋଳନ ପରେ ସମ୍ଭବତଃ କରୋନା ବିରୁଦ୍ଧରେ ଲଢେଇ ଦେଶବାସୀଙ୍କ ପାଇଁ ଦ୍ଵିତୀୟ ସର୍ବବୃହତ ସଂଘର୍ଷ ଭାବେ ଉଭା ହୋଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜନୈତିକ ଓ ବ୍ୟକ୍ତିଗତ ଦ୍ୱେଷ ବିଦ୍ୱେଷରୁ ଉର୍ଦ୍ଧ୍ୱକୁ ଉଠି ସମବାୟ ସଂଘୀୟ ବ୍ୟବସ୍ଥା ଆଧାରରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଆଗେଇଆସିବା ଉଚିତ । ସୂଚନାଯୋଗ୍ୟ ଯେ, ଟୀକାକରଣ ବାବଦରେ କେନ୍ଦ୍ର ସରକାରଙ୍କ ତୃତୀୟ ନୀତି ଅର୍ଥାତ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟୀକାକରଣ କରିବା ଘୋଷଣା ପରେ ଟିକାର ଆବଶ୍ୟକତା ବଢିଛି । ଫଳରେ ଟିକାର ଚାହିଦା ମେଣ୍ଟାଇବା ପାଇଁ ବିଭିନ୍ନ ରାଜ୍ୟ ସରକାର ବିଶ୍ବ ବଜାରରୁ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲେ । ତେବେ ଟିକା ପ୍ରସ୍ତୁତ କରୁଥିବା ଆନ୍ତର୍ଜାତିକ ସଂସ୍ଥାମାନେ ରାଜ୍ୟ ସରକାରଙ୍କ ସହିତ ଟିକା କାରବାର ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଓ ପ୍ରତିଶ୍ରୁତି ବା ଗ୍ୟାରେଣ୍ଟି ଆବଶ୍ୟକ କରୁଛନ୍ତି। ଆନ୍ତର୍ଜାତିକ ସଂସ୍ଥାମାନେ ସିଧାସଳଖ ରାଜ୍ୟ ସରକାରମାନଙ୍କ ସହ ଟିକା କାରବାର କରିବାକୁ ଚାହିଁ ନାହାନ୍ତି । ଅପରପକ୍ଷରେ ଦେଶ ଭିତରେ ଥିବା ଟିକା ପ୍ରସ୍ତୁତକରି ସଂସ୍ଥାମାନେ ଆବଶ୍ୟକ ପରିମାଣର ଟିକା ଯୋଗାଇବା ପାଇଁ ଅସମର୍ଥ ହେଉଛନ୍ତି । ତେଣୁ ଏଭଳି ଦୁଇଟି ରାସ୍ତାରେ ଟିକା ସମସ୍ୟାର ସମାଧାନ କରାଯାଇପାରିବ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, କରୋନାରୁ ରକ୍ଷା ପାଇବାର ଏକ ମାତ୍ର ରାସ୍ତା ହେଉଛି ଟିକାକରଣ । ଯେଉଁ ଦେଶଗୁଡିକ ଟିକାକରଣଙ୍କୁ ଗୁରୁତ୍ୱ ଦେଉଛନ୍ତି ସେହି ଦେଶରେ କରୋନା ସ୍ଥିତିରେ ସୁଧାର ଆସିଛି । ତେଣୁ ରାଜ୍ୟ ସରକାରମାନେ ଟୀକାକରଣକୁ ନେଇ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିବା ଅପେକ୍ଷା ଯଥାଶୀଘ୍ର କିଭଳି ସମସ୍ତଙ୍କୁ ଟିକା ମିଳିବ ସେ ଦିଗରେ ଉଦ୍ୟମ କରିବା ଆବଶ୍ୟକ ରହିଛି । ସେଥିପାଇଁ ଓଡିଶା ମଧ୍ୟ ବିଶ୍ଵାବଜାରରୁ ଟିକା କିଣିବା ଲାଗି ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲା । ସେଥିରେ ବିଶେଷ ସଫଳତା ନମିଳିବାରୁ ରାଜ୍ୟ ପାଇଁ। କେନ୍ଦ୍ର ବିଶ୍ଵବଜାରୁ ଟିକା ରାଜ୍ୟକୁ ଯୋଗାଇଦେବା ପାଇଁ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଧନଙ୍କୁ ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀ ଆଜି ଏସଂକ୍ରାନ୍ତରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କଲାବେଳେ ସମସ୍ତେ ସମାନ ଭାବରେ ଟିକା ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କରିଥିବା ଜଣାପଡ଼ିଛି । ନବୀନଙ୍କ ଚିଠି ସହିତ ଅନ୍ୟ ରାଜ୍ୟମାନେ ସହମତ ହେଲେ କେନ୍ଦ୍ର ସରକାରଙ୍କ ଉପରେ ଏକ ବଡ ଚାପି ସ୍ତୁଷ୍ଟି ହେବ ଏବଂ କେନ୍ଦ୍ର ସରକାର ଟିକା ବାବଦରେ ନବୀନଙ୍କ ପ୍ରସ୍ତାବକୁ ଗ୍ରହଣ କରିପାରନ୍ତି। ବୋଲି ଆଶା କରାଯାଉଛି । ସମଗ୍ର ଦେଶ ପାଇଁ ଟିକା ବ୍ୟବସ୍ଥା କ୍ଷେତ୍ରରେ ନବୀନଙ୍କ ଏହି ପଦକ୍ଷେପ ପୁଣି ନବୀନଙ୍କୁ ରାଷ୍ଟ୍ରନାୟକତ୍ୱକୁ ପ୍ରମାଣିତ କରିଛି ।

ଏଥିସହିତ ପଢ଼ନ୍ତୁ: ଟିକା ଅଭାବ ଦୂର କରିବାକୁ ଓଡ଼ିଶାର ପ୍ରସ୍ତାବ: ବିଦେଶରୁ ଟିକା କିଣିଦେଲେ ରାଜ୍ୟ ସରକାର ଦେବେ ଟଙ୍କା

Leave a Reply