ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: କହିଲେ- ଗତି ହିଁ ଶକ୍ତି, ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ମିଶନଶକ୍ତି ସ୍କୁଟର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଯୋଜନାର ଶୁଭାରମ୍ଭ । ବିଏଲଏଫ ଓ ଡିଏଲଏଫଙ୍କ ପାଇଁ କରାଯାଇଛି ଗାଡି ବ୍ୟବସ୍ଥା । ୧୫ ହଜାର ମାଆଙ୍କୁ ସ୍କୁଟର ପ୍ରଦାନ କରାଯାଇଛି । ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଗତି ହିଁ ଶକ୍ତି । ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି । ଓଡ଼ିଶା ପାଇଁ ମାଆମାନେ ଆଣିଛନ୍ତି ନୂଆ ଗତି, ଶକ୍ତି ଓ ପ୍ରଗତୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମହିଳା ସଶକ୍ତିକରଣରେ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ । ମାଆମାନେ ଭଲ କାମ କରୁଛନ୍ତି । ୧୫ ହଜାର ମାଆଙ୍କୁ ସ୍କୁଟର ଦିଆଯାଇଛି । ଆଗାମୀ ଦିନରେ ୨ ଲକ୍ଷ ମାଆ ସ୍କୁଟର ପାଇବେ ।’

କାର୍ଯ୍ୟକ୍ରମରେ ମାଆମାନଙ୍କୁ ପ୍ରସଂଶା କରିଛନ୍ତି ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ସେ କହିଛନ୍ତି, ‘ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୧୫ ହଜାର ମାଆ ସ୍କୁଟର ନେଇଛନ୍ତି । ଆଗକୁ ୨ ଲକ୍ଷ ମିଶନ ଶକ୍ତି ସଦସ୍ୟାଙ୍କୁ ଏହି ସ୍କୁଟର ମିଳିବ । ୨୦୦୧ ମସିହାରେ ଆରମ୍ଭ ହୋଇଥିଲା ମିଶନ ଶକ୍ତି କାର୍ଯ୍ୟକ୍ରମ । ଘର ଘର ବୁଲି ମାଆଙ୍କୁ ପ୍ରୋତ୍ସାହିତ କରିଥିଲେ ଏମବିକେ ଓ ବ୍ୟାଙ୍କ ମିତ୍ର ।’

ଆଗକୁ ସେ କହିଛନ୍ତି, ‘ସ୍କୁଟର ଆମ ମାଆମାନଙ୍କ ପାଇଁ ଏକ ପ୍ରତୀକ ହୋଇଛି । ଆଶା, ସମ୍ମାନ, ଦକ୍ଷତା ଓ ପରିଚୟର ପ୍ରତୀକ ଏହି ସ୍କୁଟର । ‘ଗତି ହିଁ ଶକ୍ତି’କୁ ଦର୍ଶାଇବେ ମାଆ । ବ୍ଲକ ଓ ଜିଲ୍ଲା ଫେଡେରସନକୁ ଆଜି ଗାଡ଼ି ମିଳିବ । ଏହି ଗାଡ଼ିରେ ପଞ୍ଜାୟତ, ଓ୍ୱାର୍ଡ ବୁଲି ମାଆଙ୍କୁ ପ୍ରୋତ୍ସାହିତ କରିବେ । ୩୩୮ ବ୍ଲକ ଫେଡେରେସନକୁ ଗାଡ଼ି ଦିଆଯିବ । ପଞ୍ଚାୟତ ଫେଡେରେସନ ପାଇଁ ଅଫିସ କମ୍ପ୍ଲେକ୍ସ ଓ ମାର୍କେଟ ବିଲ୍ଡିଂ ପାଇଁ ପ୍ରତି ପଞ୍ଚାୟତକୁ ୩୦ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଇଛି । ୨ ଲକ୍ଷ ଗ୍ରୁପକୁ ୧୫୦ କୋଟିର ସୁଧ ଫେରସ୍ତ କରାଯାଇଛି । ଏସଏଚଜିକୁ ଏସଏମଇରେ ପରିଣତ ପାଇଁ ବଡ଼ ସହାୟକ ହେବ । ମିଶନ ଶକ୍ତି ମହିଳା ଘରୁ ବାହାରି ନିଜର ପରିଚୟ ସୃଷ୍ଟି କରିବେ । ନୂଆ ଓଡ଼ିଶା ଗଠନରେ ମିଶନ ଶକ୍ତି ମହିଳା ହେବେ ସାରଥି । ନୂଆ ଓଡ଼ିଶା ଗଠନରେ ସ୍କୁଟର ଏକ ପ୍ରତୀକ ।’