‘ବିଧାନସଭାରେ ଭାଷା ଆଇନ’ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀରେ ଚାଲିଛି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ‘ବିଧାନସଭାରେ ଭାଷା ଆଇନ’ ପୁସ୍ତକ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୪୮ ମସିହାରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନାଠାରୁ ଆରମ୍ଭ କରି ୧୯୫୪ ଭାଷା ଆଇନ ପାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବିଧାନସଭାରେ ଭାଷା ଆଇନ ୨୦୧୮ର ସଂଶୋଧନ ପର୍ଯ୍ୟନ୍ତ  ବିଧାନସଭାରେ  ହୋଇଥିବା ସମସ୍ତ ଆଲୋଚନା ଓ ତଥ୍ଯ ଏହି ପୁସ୍ତକ ରେ ସ୍ଥାନିତ ହୋଇଛି ।

ଏହି ଅବସର ରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଭାଷାର ଉନ୍ନତି ପାଇଁ ଆମେ ପ୍ରତିଶୃତିବଦ୍ଧ । ଓଡ଼ିଆ ଭାଷା ସୁରକ୍ଷା ଓ ଆଗାମୀ ପିଢ଼ି ପାଇଁ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗରେ ନୂତନ ସମ୍ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ଏହାଦ୍ଵାରା ସମସ୍ତ ଭାଷାଭାଷୀ ଅଞ୍ଚଳ ଗୋଟିଏ ସୁତ୍ରରେ  ବାନ୍ଧି ହୋଇ ଓଡ଼ିଶାର ବିକାଶରେ ଭାଗିଦାରୀ ହେବେ ବୋଲି ଆଶା କରୁଛି ।’

ପୁସ୍ତକଟି ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହରଥାଙ୍କ ଦ୍ଵାରା ସମ୍ପାଦିତ ଓ ଶବ୍ଦସ୍ପର୍ଶ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି ।