୬ ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଆଉ ୬ଟି ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର କଲେ ଶୁଭାରମ୍ଭ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ ଓ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ । ଲକ୍ଷ୍ମୀ ବସ୍ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ । ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି । 5T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍  ଯୋଜନା ପ୍ରସ୍ତୁତ କରାଯାଇଛି ।’

ଏହି ୬ଟି ଜିଲ୍ଲାର ୧୩ ଶହ ୬୩ଟି ପଞ୍ଚାୟତରେ ୧୯୮ଟି ବସ୍ ଚାଲିଲା । ଏହାଦ୍ୱାରା ୭୫ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ଖୋର୍ଦ୍ଧାର ୧୫୪ଟି ପଞ୍ଚାୟତରେ ୨୨ଟି ବସ୍ ଚାଲିଥିବାବେଳେ ୧୫.୫୦ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ପୁରୀର ୪୩୩ଟି ପଞ୍ଚାୟତରେ ୪୪ଟି ବସ୍ ଚାଲିଲା । ଫଳରେ ୧୪ ଲକ୍ଷ ୬୦ ହଜାର ଲୋକ ଉପକୃତ ହେଲେ । କେନ୍ଦ୍ରାପଡାର ୧୯୬ଟି ପଞ୍ଚାୟତରେ ୩୭ଟି ବସ୍ ଚାଲିଲା ଓ ୧୧ ଲକ୍ଷ ୩୭ ହଜାର ଲୋକ ଉପକୃତ ହେଲେ । ଭଦ୍ରକର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍ ଚାଲିଲା । ଏହାଦ୍ବାରା ଜିଲ୍ଲାର ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ ହେଲେ । ଯାଜପୁରର ୨୩୩ଟି ପଞ୍ଚାୟତରେ ୩୯ଟି ବସ୍ ଚଳାଚଳ ଆରମ୍ଭ କରିଛି । ଏଥିରୁ ୧୩ ଲକ୍ଷ ୭୦ ହଜାର ଲୋକ ଉପକୃତ ହେଲେ । ସେହିଭଳି  ନୟାଗଡର ୧୮୯ଟି ପଞ୍ଚାୟତରେ  ୩୧ଟି ବସ୍ ଚାଲିଲା ଓ ଏହାଦ୍ୱାରା ୯ ଲକ୍ଷ ୩୪ ହଜାର ଲୋକ ଉପକୃତ ହେଲେ ।

ଏହି ଯୋଜନାରେ ସାରା ରାଜ୍ୟରେ ୧ ହଜାରରୁ ଅଧିକ ବସ୍ ଚାଲିବ । 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମାଆଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି । ଲକ୍ଷ୍ମୀ ବସ୍ ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଓ ଗାଁର ଅର୍ଥନୀତିକୁ ମଜବୁତ କରିବା ରାଜ୍ଯ ସରକାରଙ୍କ ଲକ୍ଷ୍ୟ । ଲକ୍ଷ୍ମୀ ବସ୍ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ଆରମ୍ଭ କରାଯାଇଛି । ଏଥିରେ ମାଆଙ୍କ ପାଇଁ ବସ୍ ଟିକେଟ ମୂଲ୍ୟ ଅଧା କରାଯାଇଛି । ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ମାଆମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଲକ୍ଷ୍ମୀ ବସରେ ଯିବା ଆସିବା କରିପାରିବେ ।