ସୁସ୍ଥ କଳାହାଣ୍ଡି, ସୁରକ୍ଷିତ କଳାହାଣ୍ଡି : ହେଲଥ ସ୍ମାର୍ଟ୍ କାର୍ଡ୍ ସହ ୮ ଶହ ୬୦ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ

1 min read

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଉପକୃତ ହେବ ଲକ୍ଷ ଲକ୍ଷ ଗରିବ ଲୋକେ । କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ନିଜ ହାତରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏହାସହ ପାଖାପାଖି ୯୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି ।

ଜୟ ମାଆ ମାଣିକେଶ୍ବରୀରୁ ଜିଲ୍ଲାବାସୀଙ୍କ ଉଦ୍ଦେଶରେ ନିଜ ଉଦବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ୮ ଶହ ୬୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରି ବହୁତ ଖୁସି ଥିବା କହିଥିଲେ ମୁଖ୍ୟମନ୍ତ୍ରୀ ।

କଳାହାଣ୍ଡିର ପ୍ରତି ଗାଁରେ ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ୨୫୦୦ କୋଟି ଟଙ୍କାର କାମ ଚାଲିଛି । ଗତ ଜୁନରେ କଳାହାଣ୍ଡି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଅପର ଇନ୍ଦ୍ରାବତୀ ଲିଫ୍ଟ କେନାଲର ଶୁଭାରମ୍ଭ କରିଥିଲେ । ଏବେ ୬୮ ପ୍ରତିଶତ ଜମିକୁ ଜଳଯୋଗାଣ ହୋଇପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଧାନ ଉତ୍ପାଦନରେ କଳାହାଣ୍ଡି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଜିଲ୍ଲାରେ ଧାନ ଉତ୍ପାଦନ ୭୬ ଲକ୍ଷ ଟନରେ ପହଞ୍ଚିଛି । ମାଛ ଉତ୍ପାଦନରେ କଳାହାଣ୍ଡି ଜାତୀୟ ପୁରସ୍କାର ପାଇଛି । କପା ଉତ୍ପାଦନରେ ମଧ୍ୟ କଳାହାଣ୍ଡି ପୂରା ରାଜ୍ୟରେ ସମସ୍ତଙ୍କଠାରୁ ଆଗରେ ରହିଛି । ବିଜୁ ଏକ୍ସପ୍ରେସ ହେଉ କି ଭବାନରପାଟଣା ବାଇପାସ କିମ୍ବା ଭବାନୀପାଟଣା-ରାୟଗଡ଼ା ରାସ୍ତା କାମ ଓ ଗ୍ରୀଡ଼ ସବଷ୍ଟେସନ କାମ, କେସିଙ୍ଗାରେ ବସ୍ତି ଲୋକଙ୍କ ଥଇଥାନ କାମରେ କଳାହାଣ୍ଡି ସଫଳତାର ସହ ଆଗେଇ ଚାଲିଛି ।’

ସେ ଆହୁରି କହିଛନ୍ତି, ‘ମିଶନ ଶକ୍ତିରେ କଳାହାଣ୍ଡିର ମାଆମାନେ ବହୁତ ଭଲ କାମ କରୁଛନ୍ତି । କଳାହାଣ୍ଡି ଆଜି ଏକ ଶିକ୍ଷା ହବ୍ ହୋଇପାରିଛି । କଳାହାଣ୍ଡି ୟୁନିଭର୍ସିଟି, କଳାହାଣ୍ଡି ଇଂଜିନିୟରିଂ କଲେଜ, ସରକାରୀ ଏଗ୍ରିକଳଚର କଲେଜ ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ।’

ଆଜି କଳାହାଣ୍ଡି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହେଲା । ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଏହି କାର୍ଡ ଦିଆଯିବ । ରାଜ୍ୟର ସାଢେ ୩ କୋଟି ଲୋକ ଏଥିରୁ ଉପକୃତ ହେବ । ପୁରୁଷମାନଙ୍କ ପାଇଁ ୫ ଲକ୍ଷ  ଓ ମାଆମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏଭଳି ବ୍ୟବସ୍ଥା କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଅର୍ଥାଭାବରୁ ଆଉ କେହି ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେନି । ସ୍ବାସ୍ଥ୍ୟ ବାବଦ ଖର୍ଚ୍ଚ ଅର୍ଥରେ ଘରର ଉନ୍ନତି କରିପାରେବ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ମାର୍ଟ କାର୍ଡ୍ ଦ୍ୱାରା କଳାହାଣ୍ଡିରେ ସାଢେ ୪ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଏହି କାର୍ଡ ଦେଖାଇ ବିନା ଟଙ୍କାରେ ଚିକିତ୍ସା ସୁବିଧା ପାଇପାରିବେ ।

କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଂକର ମିଶ୍ର ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ କଳାହାଣ୍ଡିର ରୂପାନ୍ତର ଉପରେ ଆଲୋକପାତ କରିଥିଲେ । କୃଷି ଓ ଶିକ୍ଷା କ୍ଷେତ୍ରରେ କଳାହାଣ୍ଡି ଆଜି ରାଜ୍ୟର ଏକ ଆଗୁଆ ଜିଲ୍ଲା ହୋଇପାରିଛି ବୋଲି ସେମାନେ ମତ ଦେଇଥିଲେ । କଳାହାଣ୍ଡିର ଏହି ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତା ଓ ପ୍ରତିବଦ୍ଧତାର ଉଚ୍ଚପ୍ରଶଂସା କରିଥିଲେ । BSKY ସ୍ମାର୍ଟ କାର୍ଡ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ କହିଥିଲେ ।

Leave a Reply