ଗାଁରୁ ଓଡ଼ିଶା ସଂସ୍କୃତିର ସୁରକ୍ଷା କରାଯିବା ସହ ଅତ୍ୟାଧୁନିକ ଭିତ୍ତିଭୂମିର ହେବ ବିକାଶ: ନବୀନ

1 min read

ଭୁବନେଶ୍ବର: ଗାଁ ହେବ ସଶକ୍ତ ଓଡିଶାର ପ୍ରତିଛବି । ସଂସ୍କୃତିର ସୁରକ୍ଷା ସହ ଅତ୍ୟାଧୁନିକ ଭିତ୍ତିଭୂମିର ହେବ ବିକାଶ । କେନ୍ଦୁଝର ଓ ଭଦ୍ରକରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସାରା ରାଜ୍ୟରେ ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ସାମିଲ ହେବେ ରାଜ୍ୟର ୬୭୯୪ଟି ପଞ୍ଚାୟତ । ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ୯୦ ହଜାର ୭୨୩ଟି ପ୍ରକଳ୍ପ ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି । ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ପ୍ରସାରିତ କରିବ ଏବଂ ଗଢିବ ଆମ ଓଡିଶା ନବୀନ ଓଡିଶା ।

ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ ।’

ଆଗକୁ ସେ କହିଛନ୍ତି, ‘ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ । ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ । ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳିଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ।’

ଏହାସହ ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । ୱାର୍କ ହବ ସହିତ ବ୍ୟାଙ୍କିଂ ସୁବିଧା ମିଳିବ । କାର୍ଯ୍ୟକ୍ରମରେ ଗାଁର ପ୍ରାଇମେରୀ ସ୍କୁଲ ଗୁଡିକ ମଧ୍ୟ ସାମିଲ ହେବ ବୋଲି ନବୀନ କହିଛନ୍ତି ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କେନ୍ଦୁଝରର ୬ଟି ନିର୍ବାଚନ ମଣ୍ଡଳୀର ୨୯୭ଟି ପଞ୍ଚାୟତର ୩,୫୬୮ଟି ପ୍ରକଳ୍ପ ପାଇଁ ୧୪୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ଭଦ୍ରକ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀର ୨୧୮ଟି ଗ୍ରାମ ପଞ୍ଚାୟତର ୩,୩୩୭ଟି ପ୍ରକଳ୍ପ ପାଇଁ ୧୦୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ଲାଗି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଲୋକଙ୍କ ଆବଶ୍ୟକତାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ସମସ୍ତେ ସ୍ବଚ୍ଛତାର ସହ ଠିକ୍ ସମୟରେ କାମ ସାରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ସେହିପରି 5T ସଚିବଙ୍କ ଗସ୍ତ ପରେ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହୋଇଛି । ଅନେକ ଦିନର ସମସ୍ୟା ଦୂର ହୋଇଛି ବୋଲି ସ୍ଥାନୀୟ ନେତୃବୃନ୍ଦ ଯୋଜନାକୁ ପ୍ରଶଂସା କରି କହିଛନ୍ତି ।

ଏହା ଆମର ଯୁବ ସମାଜ, ମାଆ, ଚାଷୀ ଭାଇ ଭଉଣୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅମାପ ସୁଯୋଗ ଆଣିବ । ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ ।

5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସାରା ରାଜ୍ୟରେ ଜନ ପ୍ରତିନିଧି ଗାଁ ବିକାଶର ନୂଆ ପର୍ବର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଯୋଗୁଁ ଗରିବ ଓ ଅବହେଳିତଙ୍କ ମୁହଁରେ ହସ ଫୁଟିଛି ବୋଲି ସେମାନେ କହିଛନ୍ତି । 5T ସଚିବଙ୍କ ଗସ୍ତ ଯୋଗୁଁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଦୂର ହୋଇଛି ବୋଲି ସେମାନେ କହିଛନ୍ତି ।

5T ସଚିବ କହିଛନ୍ତି, ‘ସ୍ଥାନୀୟ ଅଞ୍ଚଳର ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ତତ୍ପର । ଓଡିଶାର ପ୍ରତି ଗାଁର ବିକାଶ ପାଇଁ କାମ କରିବାକୁ ସେ ଦୃଢ ନିର୍ଦ୍ଦେଶ ଦେଇଛନ୍ତି । ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । ଏହାକୁ ସମସ୍ତେ ସ୍ବଚ୍ଛତାର ସହ ଓ ଠିକ୍‌ ସମୟରେ ଶେଷ କରନ୍ତୁ ।’