କେନ୍ଦୁପତ୍ର ତୋଳାଳିଙ୍କୁ ହଜାରେ, ବନ୍ଧାଳି-ସିଜନାଲ କର୍ମଚାରୀଙ୍କୁ ୧୫ଶହ

1 min read

ଭୁବନେଶ୍ୱର: କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା । କେନ୍ଦୁପତ୍ର ତୋଳାଳି, ବନ୍ଧାଳୀ ଓ ସିଜନାଲ କର୍ମଚାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୋଳାଳିଙ୍କୁ ୧ ହଜାର ଟଙ୍କା ଓ ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସହାୟତା ପ୍ରଦାନ ପରେ ହିତାଧିକାରୀଙ୍କ ଖାତାକୁ ଯାଇଛି ୪୩ କୋଟି ଟଙ୍କା ।

ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ସହାୟତା ବଣ୍ଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଗରିବ ଲୋକର ଖୁସି ହିଁ ତାଙ୍କର ସବୁଠାରୁ ବଡ ଖୁସି । ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି ଓ ସେମାନଙ୍କ କଲ୍ଯାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ । ଉପନିର୍ବାଚନ ଆଚରଣବିଧି ଉଠିବା ପରେ ବରଗଡ ଜିଲ୍ଲାର ତୋଳାଳି ଓ ଅନ୍ଯ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ଏ ସବୁ ସହାୟତା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦୁପତ୍ର ହେଉଛି ଗରିବ ଲୋକର ଦାନା ପାଣି । ତେଣୁ ତା ଉପରେ 18% GSTକୁ ନାପସନ୍ଦ କରି ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦାବି କରିଛନ୍ତି । ୧୨ ଜିଲ୍ଲା- ନୂଆପଡ଼ା କଳାହାଣ୍ଡି , କୋରାପୁଟ ନବରଙ୍ଗପୁର , ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, କନ୍ଧମାଳ, ବୌଦ୍ଧ, କେଉଁଝର, ଦେବଗଡ଼, ଓ ବଲାଙ୍ଗୀର ଜିଲ୍ଲାର ସତର ଡିଭିଜନର ହିତାଧିକାରୀମାନଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ପ୍ରମୁଖ ଉପସ୍ଥିତ ଥିଲେ ।