ବୋର୍ଡ୍ ପରୀକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି, ଜାତୀୟ ଗାଇଡଲାଇନ ପାଇଁ ଅନୁରୋଧ

ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । କୋଭିଡ ପରିସ୍ଥିତିରେ ପରୀକ୍ଷା ନେଇ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ ପାଇଁ ଶିକ୍ଷା ବ୍ୟବସ୍ଥାରେ ଗଭୀର ପ୍ରଭାବ ପଡିଛି । ଚଳିତ ବର୍ଷ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇବାରେ ମଧ୍ୟ ବିଳମ୍ବ ହୋଇଥିଲା । ଏହାସହ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଡିସେମ୍ୱର ୩୧ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠପଢ଼ାଯାଉଛି । ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା କଷ୍ଟକର । ଏକାଡେମିକ ସେସନ୍ ନେଇ ଦ୍ୱନ୍ଦ୍ୱ ରହିଛି । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ମଧ୍ୟ ଅନିଶ୍ଚିତତା ରହିଛି । ତେଣୁ  ପରୀକ୍ଷା ଓ ପାଠପଢାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟ ଉଦବେଗ ଦେଖା ଦେଇଛି ।

କୋଭିଡ୍ କାଳରେ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ପତ୍ରରେ ମୁଖ୍ୟମମନ୍ତ୍ରୀ ଲେଖିଛନ୍ତି ଯେ, ପ୍ରବେଶିକା ପରୀକ୍ଷା ଓ ଉଚ୍ଚ ଶିକ୍ଷା ପାଇଁ ନାମଲେଖା ପରସ୍ପର ସହ ଜାତୀୟ ସ୍ତରରେ ସଂପୃକ୍ତ । ତେଣୁ କୋଭିଡ କାଳରେ ବୋର୍ଡ ପରୀକ୍ଷା ପାଇଁ ଏକ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଜାତୀୟ ସ୍ତରରେ ଗାଇଡ୍ ଲାଇନ୍ ଆସିଲେ ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭବାକଙ୍କ ମନରେ ଥିବା ଉଦବେଗ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

Leave a Reply