ନବରଙ୍ଗପୁରରେ ଦୁଇଟି ଜଳସେଚନ ପ୍ରକଳ୍ପର ଭିତ୍ତି ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

1 min read

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ୧ ହଜାର ୨୭୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାଦ୍ୱାରା ନନ୍ଦାହାଣ୍ଡି, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକର ପ୍ରାୟ ୧୨୦ଟି ଗାଁର ୫୦ ହଜାର ହେକ୍ଟର ଚାଷଜମିକୁ ପାଣି ମିଳି ପାରିବ ।

ସେହିପରି ତୁରୀ-ଗୁନ୍ତାତ ଜଳସେଚନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ପ୍ରକଳ୍ପରେ ୨ଟି ବ୍ୟାରେଜ୍‌ ନିର୍ମାଣ କରାଯିବ ।  ଏଥିପାଇଁ ୫୭୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ୪୦ଟି ଗ୍ରାମର ୨୦ ହଜାର ଏକର ଚାଷ ଜମିକୁ ପାଣି ମିଳିପାରିବ । ସବୁ ପ୍ରକଳ୍ପରେ ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯାଇ ଭୂତଳ ପାଇପ୍‌ ଲାଇନ୍‌ ମାଧ୍ୟମରେ ଜଳସେଚନ କରାଯିବ ।

ଏହି ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯୋଗୁଁ କୌଣସି ବିସ୍ଥାପନର ଆବଶ୍ୟକତା ନାହିଁ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନବରଙ୍ଗପୁର ଜିଲ୍ଲା ପାଇଁ ମୋର ସ୍ବତନ୍ତ୍ର ଧ୍ୟାନ ରହିଛି । ମାର୍ଚ୍ଚ ମାସରେ ମୋ ନିର୍ଦ୍ଦେଶରେ 5T ଅଧ୍ୟକ୍ଷ ନବରଙ୍ଗପୁର ଯାଇଥିଲେ । ଆପଣମାନଙ୍କ ସହିତ ମିଶିଥିଲେ । ବିଭିନ୍ନ ବିକାଶ କାମ ବୁଲି ଦେଖିଥିଲେ । ଆପଣମାନଙ୍କ ଯାହା ସବୁ ପ୍ରସ୍ତାବ ଅଛି, ସବୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ । ଆଗାମୀ କିଛି ବର୍ଷ ମଧ୍ୟରେ ନବରଙ୍ଗପୁରର ଭିତ୍ତିଭୂମି କ୍ଷେତ୍ରରେ ବହୁତ ବଡ ରୂପାନ୍ତର ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଗକୁ ମୁଖ୍ୟମନ୍ତ୍ରୀ କହିଛନ୍ତି, କିଛିଦିନ ତଳେ ଲକ୍ଷ୍ମୀ ଯୋଜନା ଆରମ୍ଭ ସମୟରେ ମୁଁ ଆପଣମାନଙ୍କୁ ଭେଟିଥିଲି । ମୋର ବିଶ୍ବାସ, ଲକ୍ଷ୍ମୀ ଯୋଜନା ଆପଣଙ୍କ ଜୀବନଧାରାକୁ ସହଜ କରୁଥିବ । କୃଷି ଆମ ଅର୍ଥନୀତିର, ଆମ ସାମାଜିକ ବ୍ୟବସ୍ଥାର ମେରୁଦଣ୍ଡ । ସେଥିପାଇଁ ଚାଷର ଉନ୍ନତି ଓ ଚାଷୀର କଲ୍ୟାଣ ପାଇଁ ମୁଁ ସବୁବେଳେ ଗୁରୁତ୍ବ ଦେଇଆସିଛି । ସାରା ରାଜ୍ୟରେ ଅନେକ ବଡ ବଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଚାଷୀମାନଙ୍କ ପାଇଁ କାଳିଆ ଯୋଜନା, ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧବିହୀନ ଋଣ ଆଦି ଅନେକ ସୁବିଧା କରାଯାଉଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏବେ ଆମେ ଗାଁର ସବୁ ଲୋକଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ୯୦ ପ୍ରତିଶତ ଲୋକ ମାଗଣାରେ ଭଲ ଚିକିତ୍ସା ସୁବିଧା ପାଇବେ । କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କର ନବରଙ୍ଗପୁର ଗସ୍ତ କଥା ମନେ ପକାଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।