ନିର୍ମାଣ ଶ୍ରମିକଙ୍କ ପେନସନ ବୃଦ୍ଧି କଲେ ରାଜ୍ୟ ସରକାର, ୭ ଶହ ବଦଳରେ ମିଳିବ ୧୨ ଶହ ଟଙ୍କା

1 min read

ଭୁବନେଶ୍ବର: ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର । ପେନସନ୍ ବୃଦ୍ଧି କଲେ ରାଜ୍ୟ ସରକାର । ନିର୍ମାଣ ଶ୍ରମିକଙ୍କ ପେନସନ ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୮୦ ବର୍ଷରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକ ପାଇବେ ୧୨ ଶହ ଟଙ୍କା । ସେହିପରି ୬୦ ବର୍ଷରୁ ଅଧିକ ବୟସର ନିର୍ମାଣ ଶ୍ରମିକ ପାଇବେ ହଜାରେ ଟଙ୍କା ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକଙ୍କ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି । ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍‌ସନ ଯୋଜନାରେ ଉପକୃତ ହେଉଛନ୍ତି ।

ସୂଚନାଯୋଗ୍ୟ, 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ନିର୍ମାଣ ଶ୍ରମିକ ଓ ସେମାନଙ୍କ ପ୍ରତିନିଧିମାନେ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ପେନସନ ବୃଦ୍ଧି କରିଛନ୍ତି । ନିଷ୍ପତ୍ତି ଅନୁଯାୟୀ, ୬୦ ବର୍ଷ ଅତିକ୍ରମ କରିଥିବା ନିର୍ମାଣ ଶ୍ରମିକ ଯେଉଁମାନେ ୫୦୦ ଟଙ୍କା ପାଉଥିଲେ ଏବେ ୧୦୦୦ ଟଙ୍କା ପାଇବେ । ସେହିପରି ୮୦ ବର୍ଷ ବୟସରୁ ଅଧିକ ନିର୍ମାଣ ଶ୍ରମିକ ଯେଉଁମାନେ ୭୦୦ ଟଙ୍କା ପାଉଥିଲେ ଏବେ ପାଇବେ ୧୨୦୦ ଟଙ୍କା ।

ଏହି ପେନ୍‌ସନ ୨୦୨୪ ଫେବୃଆରୀ ମାସରୁ ପିଛିଲା ଭାବେ ଲାଗୁ ହେବ । ଏ ବାବଦରେ ଆବଶ୍ୟକୀୟ ଖର୍ଚ୍ଚ ଓଡିଶା କୋଠାବଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହନ କରିବ ।