ରାଜ୍ୟରେ ୩ ହଜାର ୧୬୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

1 min read

ଆନନ୍ଦପୁର: ରାଜ୍ୟରେ ୩ ହଜାର ୧୬୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଟି ପ୍ରମୁଖ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ବ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ କରାଯାଇଛି।

ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି. ଦୀର୍ଘ ବୈତରଣୀ ବାମ ପାର୍ଶ୍ୱ କେନାଲ ଦ୍ୱାରା ବୈତରଣୀ ଓ ସାଳନ୍ଦି ନଦୀକୁ ଯୋଡା ଯାଇଛି। ଏହା ଦ୍ୱାରା କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଆନନ୍ଦପୁର ବ୍ଲକରେ ୨ ହଜାର ୨୨୧ ହେକ୍ଟର ଜମି ଜଳସେଚିତ ହେବ। ବାଲେଶ୍ବର ଜିଲ୍ଲାର ୭ଟି ବ୍ଲକରେ ୫୬ ହଜାର ୫୫୦ ହେକ୍ଟର ଜମିକୁ ଖରିଫ୍ ଋତୁରେ ଜଳସେଚନ ସୁବିଧା ମିଳିବ। ଏହା ସହିତ ସାଳନ୍ଦି ଡ୍ୟାମରେ ଗଚ୍ଛିତ ଜଳକୁ ବ୍ୟବହାର କରାଯାଇ ରବି ଋତୁରେ ୫୦ ହଜାର ହେକ୍ଟର ଜମିକୁ ମଧ୍ୟ ଜଳସେଚନର ସୁବିଧା ଦିଆଯିବ। ସମୁଦାୟ ୧,୦୮,୭୭୧ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିବ।

ସେହିପରି ହଳଦିଆ ଡ୍ୟାମ ହେଉଛି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଏକ ଅଂଶ। ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଜରିଆରେ ୬୨ ହଜାର ୪୮୦ ହେକ୍ଟର ଜଳସେଚନର ସୁବିଧା ଦିଆଯାଇଥିବା ବେଳେ ହଳଦିଆ ଡ୍ୟାମ ଦ୍ୱାରା ଆଉ ୫ ହଜାର ୫୨୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ। ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଓ ଖଇରି ଭଣ୍ଡନ ବ୍ୟାରେଜ ପାଇଁ ଭିତ୍ତି ରଖିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହେବା ପରେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୩୯ ହଜାର ୬୯୪ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ।

ମୟୁରଭଞ୍ଜ ଜିଲ୍ଲାର ଅଂଳାବଣୀ ଗ୍ରାମ ନିକଟରେ ଖଇରି ଭଣ୍ଡନ ନଦୀ ଉପରେ ବ୍ୟାରେଜ କାମ ଆରମ୍ଭ କରାଯିବ। ଏହା ଦ୍ୱାରା ୩ଟି ବ୍ଲକର ୬,୯୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ୩୫,୦୦୦ ଲୋକଙ୍କୁ ପିଇବା ପାଣିର ସୁବିଧା ମିଳିପାରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ଭାଇକୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ଚାଷୀ ଭାଇ ହେଉଛନ୍ତି ଆମର ଅର୍ଥନୀତିର ସାରଥୀ। ଚାଷୀ ଭାଇଙ୍କ ସାଥିରେ ମୁଁ ସବୁବେଳେ ରହିଛି। ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ଜନପ୍ରିତିନିଧି ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଜଳସେଚନର ଉନ୍ନତି ଓ ଚାଷୀ ଭାଇଙ୍କର ଉନ୍ନତିକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। 5T ଅଧ୍ୟକ୍ଷ ଗତ ଅଗଷ୍ଟ ୧୧ ତାରିଖରେ ଯଶିପୁର ଯାଇଥିବା ବେଳେ ସ୍ଥାନୀୟ ଚାଷୀ ମାନେ ଖଇରୀଭଣ୍ଡନ ବ୍ୟାରେଜ ପାଇଁ ତାଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ପରେ ମାତ୍ର ଚାରି ମାସ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର ହୋଇ କାମ ଆରମ୍ଭ ହୋଇପାରିଛି।