ଅନଲାଇନରେ ମିଳିବ ମିଶନ ଶକ୍ତି ସାମଗ୍ରୀ, ଇ-ମାର୍କେଟ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

1 min read
CM Naveen Patnaik Inaugurates E Market Portal Of Mission Shakti

ଭୁବନେଶ୍ୱର: ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନଲାଇନ୍ ମାର୍କେଟ ବ୍ୟବସ୍ଥାର ଶୁଭାରମ୍ଭ, କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ ପାଇଁ ଭତ୍ତା, ଫେଡେରେସନ ଇସି ମେମ୍ବର ମାନଙ୍କ ବୈଠକ ବାବଦ ଦେୟ ଓ ଗସ୍ତ ପାଇଁ ଭତ୍ତା ଘୋଷଣା, ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗଠନ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଘୋଷଣା ଆଦି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ତୃଣମୂଳ ସ୍ତରରେ ମିଶନ ଶକ୍ତି ଆନ୍ଦୋଳନ ଆହୁରି ଜୋରଦାର ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ମାଆ ମାନଙ୍କ ସଶକ୍ତିକରଣ ବିନା କୌଣସି ରାଜ୍ୟ ବା ଦେଶ କିମ୍ବା ପରିବାର ଆଗେଇ ପାରିବ ନାହିଁ । ଓଡ଼ିଶା ମିଶନ ଶକ୍ତି ମାଆ ମାନଙ୍କ ସଶକ୍ତିକରଣ ଦିଗରେ ସବୁବେଳେ ବାଟ ଦେଖାଇ ଚାଲିବ । ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ୭୦ ଲକ୍ଷ ମାଆ ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମିଶନ ଶକ୍ତି ମାଆ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଅଛି ।

ମିଶନ ଶକ୍ତି ପାଇଁ ୫୦୦୦ କୋଟି ଟଙ୍କାର କାମ ଦେବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ମିଶନ ଶକ୍ତିକୁ କାମ ଯୋଗାଇ ଦେଉଛନ୍ତି । ମିଶନ ଶକ୍ତିର ମାଆ ମାନେ ଏ ବର୍ଷ ଏପର୍ଯ୍ୟନ୍ତ ୬୦୦୦ କୋଟି ଟଙ୍କାର ଋଣ ନେଲେଣି । ଏହି ଋଣ ପାଇଁ ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ଦିଆଯାଇଛି । ଏଥିପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟାଙ୍କମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ଷ୍ଟେଟ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କ ଆଦି ବ୍ୟାଙ୍କ ଗୁଡ଼ିକୁ ସୁଧ ରିହାତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଅନ୍ୟ ବ୍ୟାଙ୍କଗୁଡ଼ିକ ଏହିଭଳି ଭାବରେ କାମ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ମିଶନ ଶକ୍ତିର ମାଆ ମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିଭୂମି ରଖିଛନ୍ତି । ଏହାସହିତ ମିଶନ ଶକ୍ତିର ଅନଲାଇନ୍ ମାର୍କେଟିଂର ଶୁଭାରମ୍ଭ ମଧ୍ୟ କରିଥିଲେ । ଏହାଦ୍ୱାରା ସାରା ବିଶ୍ୱରେ ମିଶନ ଶକ୍ତି ମାଆ ମାନଙ୍କର ଦ୍ରବ୍ୟ ବିକ୍ରୟ ହୋଇପାରିବ । ଆମେରିକା ଓ ଲଣ୍ଡନର ଲୋକମାନେ ମୟୂରଭଞ୍ଜ ଓ ମାଲକାନଗିରିର ମିଶନ ଶକ୍ତି ମାଆ ମାନଙ୍କର ଦ୍ରବ୍ୟ କିଣି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ମାଆ ମାନଙ୍କ ରୋଜଗାର ବୃଦ୍ଧି ହେବ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ସାରା ରାଜ୍ୟରେ ଏଭଳି ମିଶନ ଶକ୍ତି ବଜାର ସୃଷ୍ଟି କରାଯିବ ବୋଲି ସେ ଘୋଷଣା କରିଛନ୍ତି ।

ଆର୍ଥିକ ଦୃଷ୍ଟିରୁ ମାଆ ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ଗାଁରେ ବ୍ୟାଙ୍କ ନାହିଁ ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ସଖୀ ମାନଙ୍କୁ ଦାୟିତ୍ୱ ଦିଆଯିବ । ଏବେ ସବୁ ପଞ୍ଚାୟତ ଓ ୱାର୍ଡରେ ମିଶନ ଶକ୍ତି ଘର ନିର୍ମାଣ କରାଯାଉଛି । ସବୁ ବ୍ଲକ୍‌ ଓ ରାଜ୍ୟ ସ୍ତରରେ ମଧ୍ୟ ମିଶନ ଶକ୍ତି ଭବନ କରାଯିବ । ପ୍ରତି ଜିଲ୍ଲାରେ ଜିଲ୍ଲା ମିଶନ ଶକ୍ତି ଭବନ ନିର୍ମାଣ କରାଯିବ । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଦିଆଯିବ ।

CM Naveen Patnaik Inaugurates E Market Portal Of Mission Shakti

ମିଶନ ଶକ୍ତିର ମାଆ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ସେ ମିଶନ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ମିଶନ ଶକ୍ତି ମାଆ ମାନଙ୍କ ଅନୁରୋଧ ଅନୁଯାୟୀ ରାଜ୍ୟ ସରକାର ମିଶନ ଶକ୍ତି ଫେଡେରେସନର EC ସଦସ୍ୟ ମାନଙ୍କ ବୈଠକ ବାବଦ ଖର୍ଚ୍ଚ ଓ ଗସ୍ତ ପାଇଁ ଭତ୍ତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସେହିପରି ପଞ୍ଚାୟତ ସ୍ତରରେ ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ ପାଇଁ ଭତ୍ତା ଦିଆଯିବ । କୋଭିଡ୍ ଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀ ସମୟରେ ମିଶନ ଶକ୍ତିର ମାଆ ମାନେ ଭଲ କାମ କରିଛନ୍ତି । ସେଥିପାଇଁ ଓଡ଼ିଶା ଋଣୀ । ମିଶନ ଶକ୍ତିର ମାଆ ମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ ମିଶନ ଶକ୍ତିର ଗୌରବ ବୃଦ୍ଧି କରିଛନ୍ତି ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି, କଥା ନୁହେଁ କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଦୃଢ଼ ନେତୃତ୍ୱ ଯୋଗୁ ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ଶକ୍ତିଶାଳୀ ହୋଇପାରିଛି । ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ ଆଜି ଦିନଟିକୁ ମିଶନ ଶକ୍ତି ପାଇଁ ଏକ ଐତିହାସିକ ଦିନ ଭାବରେ ବର୍ଣ୍ଣନା କରିଥିଲେ । ମାଆ ମାନେ ସରକାର ଓ ସମାଜ ମଧ୍ୟରେ ସେତୁବନ୍ଧ ଭାବରେ କାମ କରି ଆନ୍ଦୋଳନକୁ ମଜଭୁତ କରିଛନ୍ତି ବୋଲି କହିଥିଲେ । ବିଭାଗୀୟ ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ବରଗଡ଼, ନୂଆପଡ଼ା, ଗଞ୍ଜାମ ଓ ମୟୂରଭଞ୍ଜର ମିଶନ ଶକ୍ତି ବ୍ଲକ୍‌ ସଭାନେତ୍ରୀ ମାନଙ୍କ ସହିତ ମତ ବିନିମୟ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରିବା ସହିତ ଭୁବନେଶ୍ୱର ଏସ୍ଆଇଆରଡି କ୍ୟାମ୍ପସରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତି ରଖିଥିଲେ । ଏହାସହିତ ସୁଧ ରିହାତି ବଣ୍ଟନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଭର୍ଚୁଆଲ୍ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୩୧୪ ବ୍ଲକର ବ୍ଲକ୍ ଫେଡେରେସନର ସଭାନେତ୍ରୀମାନେ ଯୋଗ ଦେଇଥିଲେ ।

Leave a Reply