କଟକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read
CM Naveen Patnaik Inaugurates Drink From Tap Project In Cuttack

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ପାନୀୟ ଜଳ କାର୍ଯ୍ୟକ୍ରମ ଦ୍ୱାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ୍ ପାଣିର ସୁବିଧା ପାଇ ପାରିଛନ୍ତି । ଏହାଦ୍ୱାରା ସହରର ୧ ଲକ୍ଷ ୪୦ ହଜାର ପରିବାରର ୭ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏଥିପାଇଁ ୭୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଛନ୍ତି, କଟକ ସହିତ ରାଜ୍ୟର ୬୦ଟି ସହରର ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ଦିଆଯାଇଛି । ଖୁବଶୀଘ୍ର ରାଜ୍ୟର ସମସ୍ତ ୧୧୪ଟି ସହରରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ଯୋଗାଇ ଦିଆଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକର ଦୁଇଟି ଜୋନ୍‌ରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହିତ ସାରା ସହର ପାଇଁ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ପାଇଁ ଭିତ୍ତିସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ୩୬୦ କୋଟି ଟଙ୍କା ବିନିଯୋଗ କରାଯିବ । ଡିସେମ୍ବର ୨୦୨୩ ସୁଦ୍ଧା ପୁରା ସହରକୁ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ 5T ଆଭିମୁଖ୍ୟରେ ଆରମ୍ଭ ହୋଇଥିବା ଆମର ଏହି କାର୍ଯ୍ୟକ୍ରମ କେବଳ ସାରା ଦେଶ ନୁହେଁ, ସାରା ପୃଥିବୀର ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଏକ ରୋଲ ମଡେଲ ହୋଇପାରିଛି । ଏହି କାର୍ଯ୍ୟକ୍ରମ ପାନୀୟ ଜଳ ଯୋଗାଣ ପାଇଁ ହୋଇଥିବା ଜାତୀୟ ନୀତିରେ ମଧ୍ୟ ଅନୁସୃତ ହୋଇଛି ଏବଂ ଅମୃତ ୨.୦ରେ ସାମିଲ ମଧ୍ୟ ହୋଇଛି ।

CM Naveen Patnaik Inaugurates Drink From Tap Project In Cuttack

ଏହାସହିତ ମୁଖ୍ୟମନ୍ତ୍ରୀ ୪୩୦ କୋଟି ଟଙ୍କାରେ ନିର୍ମିତ ୩ଟି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଭଲ ପିଇବା ପାଣି ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିଶୁଦ୍ଧ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେବାରେ ଆମର ଉଦ୍ୟମ ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ଅବସରରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସମ୍ପର୍କରେ ଜନସାଧାରଣଙ୍କୁ ସତର୍କ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କୋଭିଡ ନିୟମ ମାନିବା ପାଇଁ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀ କଟକ ସହରର ବିକାଶ ପାଇଁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ଏବଂ ସବୁ କାର୍ଯ୍ୟକ୍ରମ ପାଇଁ ତୁରନ୍ତ ବ୍ୟବସ୍ଥା କରିଆସିଛନ୍ତି । ୨୦୨୨ରେ କଟକରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲୋକାର୍ପିତ ହେବ ଏବଂ କଟକ ସହରର ବିକାଶ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କଟକ ମ୍ୟୁନିସପାଲ କମିଶନର ଅନନ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସାଂସଦ ସୁବାସ ସିଂହ, ବିଧାୟକ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

 

Leave a Reply