ଆମ ବସଷ୍ଟାଣ୍ଡ ଯୋଜନା; ୧୩ ଜିଲ୍ଲାରେ ୨୦ ନୂଆ ବସଷ୍ଟାଣ୍ଡକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ରାଜ୍ୟ ପରିବହନ କ୍ଷେତ୍ରରେ ନୂଆ ମାଇଲଷ୍ଟୋନ୍। ‘ଆମ ବସଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲ୍ଲାର ୨୦ଟି ନୂଆ ବସଷ୍ଟାଣ୍ଡକୁ ଲୋକାର୍ପଣ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକି ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ସାଜିବ। ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସଷ୍ଟାଣ୍ଡ ରୂପେ ଏହାକୁ ନିର୍ମାଣ କରାଯାଇଛି।

ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ରହିଛି। ଏ ସମସ୍ତ ବସଷ୍ଟାଣ୍ଡ ଦ୍ବାରା କୋଟିଏରୁ ଅଧିକ ଲୋକ ଉପକୃତ ହେବେ। ଭଲ ପରିବହନ ବ୍ୟବସ୍ଥା ଏକ ଉନ୍ନତ ଅର୍ଥନୀତି ପାଇଁ ମାର୍ଗ ପରିଷ୍କାର କରିଥାଏ। ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ରାଜ୍ଯ ସରକାର ‘ଆମ ବସଷ୍ଟାଣ୍ଡ’ ଯୋଜନା ମାଧ୍ଯମରେ ଅତ୍ଯାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରୁଛନ୍ତି। ପୂର୍ବରୁ ଗତ ଅଗଷ୍ଟ ମାସରେ ୨୧ଟି ନୂଆ ବସଷ୍ଟାଣ୍ଡ ଲୋକାର୍ପଣ କରିଥିଲେ ମୁଖ୍ଯମନ୍ତ୍ରୀ।

ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଛନ୍ତି, ଯୋଗାଯୋଗ ହେଉଛି ବିକାଶର ଆଧାର । ଅର୍ଥନୀତିର ମୁଖ୍ଯ ଶକ୍ତି । ଗାଁଠାରୁ ସହର ସବୁଠି ଯୋଗାଯୋଗକୁ ଉନ୍ନତ କରିବାକୁ ରାଜ୍ଯ ସରକାର ଗୁରୁତ୍ବ ଦେଉଛନ୍ତି । ଫାଇଭ-ଟି ଉପକ୍ରମରେ ଯୋଗାଯୋଗ ଓ ପରିବହନ ବ୍ଯବସ୍ଥା ସୃଦୃଢ ହୋଇଛି । ପଞ୍ଚାୟତରୁ ବ୍ଲକକୁ ଲକ୍ଷ୍ମୀ ବସ ଗଡ଼ୁଥିବାବେଳେ ଭୁବନେଶ୍ବରରେ ମେଟ୍ରୋ କାର୍ଯ୍ଯ ଆରମ୍ଭ ହୋଇଛି।

ଆହୁରି ମଧ୍ୟ ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ, ନୂତନ ବସଷ୍ଟାଣ୍ଡ ଦ୍ବାରା ଚାଷୀ, ଛାତ୍ରଛାତ୍ରୀ ଆଦି ସମସ୍ତ ବର୍ଗ ଉପକୃତ ହେବେ। ଯୋଗାଯୋଗରେ ଉନ୍ନତି ହେବା ସହ ଆମ ଅର୍ଥନୀତି ସୁଦୃଢ ହେବ। ଲୋକଙ୍କ ରୋଜଗାର ବୃଦ୍ଧି ପାଇବ। ନୂଆ ବସଷ୍ଟାଣ୍ଡ ଗୁଡ଼ିକରେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଏହି ଅବସରରେ ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ବସଷ୍ଟାଣ୍ଡ ଏକ ସହରର ପରିଚୟ। ତେଣୁ ଏହି ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣରେ ସହରବାସୀ ସହଯୋଗ କରିବାକୁ ସେ ଅପିଲ କରିଛନ୍ତି।