ବଲାଙ୍ଗୀରରେ BSKY ଯୋଜନାର ଶୁଭାରମ୍ଭ; ସୁରକ୍ଷିତ ରହିବ ସଞ୍ଚୟ, ଚିକିତ୍ସା ପାଇଁ ବିକ୍ରି କରିବାକୁ ପଡ଼ିବନି ଜମିବାଡ଼ି

ଭୁବନେଶ୍ୱର: ପ୍ରତି ଜୀବନ ମୋ ପାଇଁ ମୂଲ୍ୟବାନ। ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ମାଲକାନଗିରି ଓ ସୁନ୍ଦରଗଡ଼ ପରେ ଆଜି ବଲାଙ୍ଗୀରରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଞ୍ଚ ଉପରୁ ୭ ଜଣଙ୍କୁ ପ୍ରଥମେ କାର୍ଡ ବାଣ୍ଟି ନବୀନ ନୂଆଁଖାଇ ଜୁହାରରୁ ଉଦବୋଧନ ଆରମ୍ଭ କରିଥିଲେ । କହିଥିଲେ, ଏହି କାର୍ଡ ନୂଆ ରୂପରେ କାର୍ଯ୍ୟକାରୀ କରୁଛି । ୯୬ ଲକ୍ଷ ପରିବାର ଏଥରେ ଉପକୃତ ହେବେ । ବଲାଙ୍ଗୀର ଜିଲ୍ଲାର ସାଢ଼େ ୪ ଲକ୍ଷ ଓ ରାଜ୍ୟର ସାଢ଼େ ୩ କୋଟି ଏହି କାର୍ଡ ପାଇବେ । ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ପାଇପାରିବେ ହିତାଧିକାରୀ ।

ଏହି ସେବା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଚିକିତ୍ସା ପାଇଁ କିଏ ସୁନା ବିକେ କିଏ ଚୁଡି, ସେଥିପାଇଁ ବହୁତ ଦୁଃଖ ଲାଗେ । ଏହି ଦୁଃଖ ଦୂର କରିବାରେ ଏହି କାର୍ଡ ସାହାଯ୍ୟ କରିବ । ଏଣିକି ସଞ୍ଚୟ କରିଥିବା ଟଙ୍କା ପରିବାରର ବିକାଶ ଓ ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ କରିପାରିବେ ହିତାଧିକାରୀ । ଚିକିତ୍ସା କଥା ରାଜ୍ୟ ସରକାର ବୁଝୁଛନ୍ତି । ସୁସ୍ଥ ରହିଲେ ପରିବାର ପାଇଁ କାମ କରିପାରିବେ । ପରିବାରର ସମୃଦ୍ଧି ହେଲେ ରାଜ୍ୟ ସମୃଦ୍ଧ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । କାର୍ଡ ଦେଖାଇଲେ ମହିଳାଙ୍କ ପାଇଁ ୧୦ଲକ୍ଷ ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଚିକିତ୍ସା ସୁବିଧା ମିଳିବ ।

 

Leave a Reply