spot_img

Latest Posts

ବିଶ୍ୱ ଦରବାରରେ ସୁନ୍ଦରଗଡ଼ର ଗୌରବ ବଢ଼ାଇଛି ହକି: ମୁଖ୍ୟମନ୍ତ୍ରୀ

ରାଉରକେଲା: କ୍ରୀଡ଼ା ବିକାଶରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ସୁନ୍ଦରଗଡରେ ଲେଖା ହେଲା ନୂଆ କାହାଣୀ । ଉଦଘାଟିତ ହୋଇଛି ବିଶ୍ବର ସବୁଠୁ ବଡ଼ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । ସର୍ବବୃହତ ହକି ଷ୍ଟାଡିୟମକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କହିଛନ୍ତି, ବିଶ୍ବ ଦରବାରରେ ସୁନ୍ଦରଗଡ଼ର ଗୌରବ ବଢ଼ାଇଛି ହକି । ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବା ଉଦ୍ୟମର ଏହା ପ୍ରତିଫଳନ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିଅମ ଓଡିଶା ମାଟିର ଗୌରବ ଗାନ କରୁଛି । ଏ ଷ୍ଟାଡିଅମ ସାରା ବିଶ୍ବ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇରହିବ ଏବଂ ଦେଶର ପ୍ରମୁଖ ଟିମ୍‌ ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇ ଚାଲିବ । ଆମର ଏହି ଉଦ୍ୟମ ଦେଶର ଯୁବ ଖେଳାଳୀ ମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ। ଦେଶରେ ଅନେକ ଚମ୍ପିଆନ ସୃଷ୍ଟି କରିବ ଏବଂ ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି କରିଚାଲିବ ବୋଲି ସେ କହିଥିଲେ ।

ମହାପ୍ରଭୁ ଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସଦିଚ୍ଛା ଓ ଭଲପାଇବା ଯୋଗୁ ଆମର ସ୍ବପ୍ନ ସାକାର ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବାର ଉଦ୍ୟମର ଏହା ପ୍ରତିଫଳନ। ଦେଶର କ୍ରୀଡା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଷ୍ଟାଡିଅମ ଓଡିଶାର ଛବିକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଅନେକ ଯୁଗ ପର୍ଯ୍ୟନ୍ତ ଏହି ଷ୍ଟାଡିଅମ ଆମର ମୁକୁଟମଣି ହୋଇ ହକି ପ୍ରତି ଭାରତୀୟ ମାନଙ୍କର ଭାବାବେଗ ଓ ଭଲପାଇବାକୁ ପରିପ୍ରକାଶ କରିଚାଲିବ ।

ଏହା ଭାରତୀୟ ହକିର ଏନ୍ତୁଡିଶାଳା ହୋଇ ରହିବ । ଏହି ଅବସରରେ ହକିରେ ଭାରତକୁ ମହାନ୍ କରି ତୋଳିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ନବୀନ । କିଛିଦିନ ମଧ୍ୟରେ ଏହି ଷ୍ଟାଡିୟମରେ ହେବ ପୁରୁଷ ବିଶ୍ୱକପ୍ ହକି । ଏହି ଉତ୍ସବରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ନବୀନ । ହକି ବିଶ୍ୱକପ୍ ମାସ୍କଟ ଓଲି ସହ କିଛି ସମୟ କଟାଇଲେ ମୁଖ୍ୟମନ୍ତ୍ରୀ । ୧୨୦ କୋଟି ଟଙ୍କା ଖର୍ଚ୍ଚରେ ମାତ୍ର ୧୫ମାସରେ ନିର୍ମିତ ହୋଇଛି ଏହି ବୃହତ ହକି ଷ୍ଟାଡିୟମ । ଏଥିରେ ୨୦ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି ।

ଏହି କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା, ହକି ଇଣ୍ଡିଆର ସଭାପତି  ଦିଲୀପ ତିର୍କୀ, 5T ସଚିବ ଭିକେ ପାଣ୍ଡିଆନ୍ ଓ ହକି ଇଣ୍ଡିଆ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଇଣ୍ଡିଆ A ଓ ଇଣ୍ଡିଆ B team ମଧ୍ୟରେ ଉଦଘାଟନୀ ମ୍ଯାଚ କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦଘାଟନ କରିଥିଲେ ।ମୁଖ୍ୟମନ୍ତ୍ରୀ ଆଜି ରାଉରକେଲାରେ ପହଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ପରିଦର୍ଶନ କରି ସେଠାରେ ଭାରତୀୟ ହକି ଟିମ୍‌ର ଖେଳାଳୀ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।

Latest Posts

Don't Miss