ଆଦିବାସୀ ମେଳା ୨୦୨୨ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହୋଇଛି ଆଦିବାସୀ ମେଳା ୨୦୨୨ ଏବଂ ଜାତୀୟ ଜନଜାତି କଳା ଓ ସାମଗ୍ରୀ ପ୍ରଦର୍ଶନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଉଦଘାଟନ କରିଛନ୍ତି । ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୦ଦିନ ପାଇଁ ମେଳା ଆୟୋଜିତ ହୋଇଛି । କଳାସାମଗ୍ରୀ ପ୍ରଦର୍ଶନୀ ନିମନ୍ତେ ମୋଟ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି । ଯେଉଁଥିରେ ଆଦିବାସୀ ମେଳା ପାଇଁ ୧୦୩ଟି ଓ ଜାତୀୟ ଜନଜାତି କଳା ଓ କଳା ସାମଗ୍ରୀ ପ୍ରଦର୍ଶନୀ ପାଇଁ ରହିଛି ୮୪ଟି ଷ୍ଟଲ । ବିଭିନ୍ନ ଆଦିବାସୀ ଓ ଜଙ୍ଗଲ ଜାତ ସାମଗ୍ରୀର ବିକ୍ରିବଟାର ବ୍ୟବସ୍ଥା କରାଯାଇଛି ।

ଏଥିରେ ୧୮ ରାଜ୍ୟ ସାମିଲ ହୋଇଛି । ତେବେ ଅନ୍ୟତମ ଆକର୍ଷଣ ଆଦିବାସୀ ଗାଁ ଚଳିତ ବର୍ଷ ପ୍ରତିଷ୍ଠା ହୋଇନାହିଁ । ମେଳାରେ ୬ରୁ ୭ କୋଟି ଟଙ୍କାର ବ୍ୟବସାୟ ହେବାର ଲକ୍ଷ୍ୟ ରଖାଯାଇଛି । ସବୁଦିନ ସନ୍ଧ୍ୟା ସାଢେ ୬ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା ହୋଇଛି । ଆଦିବାସୀ ମେଳାକୁ ପ୍ରତିବର୍ଷ ରାଜ୍ୟ ତଥା ବାହାରୁ ପ୍ରାୟ ୮ରୁ ୧୦ ଲକ୍ଷ ଲୋକ ଆସିଥାଆନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।