୧୪ ସାଇବର ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

1 min read
CM Naveen Patnaik Inaugurates 14 Cybercrime Police Stations

ଭୁବନେଶ୍ୱର: ଜନତାଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବେ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୧୪ଟି ସାଇବର ଥାନାର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଲୋକଙ୍କ ଜୀବନ, ସ୍ୱାଧୀନତା ଓ ସମ୍ପତ୍ତିକୁ ସାଇବର ଅପରାଧରୁ ରକ୍ଷା କରିବା ଲାଗି ପ୍ରତିଶ୍ରୁତିବଦ୍ଧ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଦିନକୁ ଦିନ ସାଇବର ଅପରାଧ ବଢ଼ିବା ସହ ସମାଜରେ ପ୍ରମୁଖ ଅପରାଧ ପାଲଟିଛି । ଆଉ ଚିନ୍ତାଜନକ ବିଷୟ ହେଉଛି, ଏହା ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ହେଉଥିବା ବେଳେ କୌଣସି ନିର୍ଦ୍ଦିଷ୍ଟ ସୀମା ରେଖା ନାହିଁ । ସାଇବର ଅପରାଧୀ ବିଦେଶରେ ବସି ଲୁଟ୍ ବେଳେ ବାରମ୍ବାର ସର୍ଭରରେ ସ୍ଥାନ ବଦଳାଇ ଚ୍ୟାଲେଞ୍ଜ ଦେଉଛନ୍ତି । ଆର୍ଥିକ ଅପରାଧ ଏବେ ବ୍ଲୁ କଲାର କ୍ରାଇମ ପାଲଟିଛି । ଯାହାକି ଖାଲି ବ୍ୟକ୍ତିକୁ ଆଘାତ ଦିଏନି ବରଂ ଦେଶର ଆର୍ଥିକ ସ୍ୱାସ୍ଥ୍ୟକୁ ଖରାପ କରି ଦିଏ ।

CM Naveen Patnaik Inaugurates 14 Cybercrime Police Stations

ଉଦଘାଟିତ ହୋଇଥିବା ପୋଲିସ ଥାନାରେ ତାମିଲପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସହ ଟେକ୍ନିକାଲ ଏକ୍ସପର୍ଟ  ରହିବେ । ଆର୍ଥିକ ଓ ସାଇବର ଅପରାଧର ତଦନ୍ତ ପାଇଁ ସେମାନଙ୍କୁ ଉନ୍ନତମାନର ହାର୍ଡୱେର ଏବଂ ସଫ୍ଟୱେର ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ଥାନାର ଉଦଘାଟନ କରିଛନ୍ତି । ଇନଫୋ ଭ୍ୟାଲି ସ୍ପେଶିଆଲ୍ ଇକୋନୋମିକ ଜୋନ୍, କଟକ ବୟାଳିଶି ମୌଜା, ଭୁବନେଶ୍ୱର ପାହାଳ ଫାଣ୍ଡିକୁ ଥାନାରେ ରୂପାନ୍ତିକରଣ କରାଯାଇଛି । ଏସବୁ ପୋଲିସ ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ଦୀର୍ଘ ଦିନ ହେଲା ଲୋକେ ଦାବି କରି ଆସୁଥିଲେ । ୩ ଥାନା ରୂପାନ୍ତିକରଣ ଦ୍ୱାରା ଦୈତ୍ୟ ନଗରୀରେ ପୋଲିସର ଶକ୍ତି ବୃଦ୍ଧି ପାଇବ ।

ନୂଆ ପୋଲିସ ଥାନା ସାଇବର ଓ ଆର୍ଥିକ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପୋଲିସ ଡିଜି ଅଭୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଜି ଅପରେସନ୍ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭର୍ଚୁଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply