spot_img

Latest Posts

ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ବିଶ୍ୱ ଐତିହ୍ୟ ଗ୍ରାମ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର, ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂକ୍ରମଣ ସଂକଟରେ ଅଟକିନି ଶିଳ୍ପୀଙ୍କ ହାତ। ପୁରୀ ରଘୁରାଜପୁରର ଶୋଭା ବଢ଼ାଉଛି ଚିତ୍ରକଳା।

ସଜେଇ ହୋଇଛି ଶିଳ୍ପୀ ଗାଁ। ପୁରାଣ ପୃଷ୍ଠାରୁ ଗାଁ ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଅନେକ ଚରିତ୍ର। ଦୁଆର ମୁହଁରେ ପୁରାଣ, ଐତିହ୍ୟ ଓ ସଂସ୍କୃତିର କଥା, କାନ୍ଥ କହୁଛି ସମୃଦ୍ଧ ଅତୀତର କାହାଣୀ। ରଘୁରାଜପୁରର ରୋଜଗାର ଛଡ଼େଇ ନେଇଥିଲା କରୋନା। ଝାଉଁଳି ପଡ଼ିଥିଲା ଶିଳ୍ପୀଙ୍କ ମୁହଁ। ନା ଗ୍ରାହକ ଆସୁଥିଲେ ନା ରୋଜଗାର ଥିଲା। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଶିଳ୍ପୀଙ୍କ ରଙ୍ଗତୂଳୀରେ ଭରିଛି ନୂଆ ପ୍ରାଣ। ଚମକିଛି ଦାଣ୍ଡ, ସୁନ୍ଦର ହୋଇଛି ଶିଳ୍ପୀ ଗାଁ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର, ନାଗାର୍ଜୁନ ବେଶ ସମେତ କୃଷ୍ଣ ଲୀଳା, ନାଟ ଗଣେଶ ଭଳି କଳାକୃତି ଶିଳ୍ପୀଙ୍କ ଯାଦୁଗରୀ ଛୁଆଁରେ ଜୀବନ୍ତ ହୋଇଛି। ଏହାର ପ୍ରାମାଣିକ ଚିତ୍ର, ସପ୍ତରଙ୍ଗକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଖଣି ନିଗମ ପକ୍ଷରୁ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର କଳା ଶିବିର ଆୟୋଜିତ କରାଯାଇଥିଲା। ଏଥିରେ ୧୫୦ ପରିବାରର ସଦସ୍ୟ ସାମିଲ ହୋଇଥିଲେ। ପ୍ରତି ପରିବାର ୫୦ ବର୍ଗଫୁଟର ଚିତ୍ରକଳା କରିବା ସହ ସମୁଦାୟ ୭୫୦୦ ବର୍ଗଫୁଟର ଚିତ୍ର କଳା ପ୍ରଦର୍ଶିତ ହୋଇଛି। ପ୍ରତି କଳାକାର ପରିବାରକୁ ଦଶ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉଛି।

ମହାମାରୀ ବେଳେ ବି ଝଲସୁଛି ରଘୁରାଜପୁର । ପୁରାଣରୁ ଐତିହ୍ୟ, ସାତ ରଙ୍ଗରେ ଜୀବନ ପାଇଛି ଶିଳ୍ପୀର କଳ୍ପନା । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ କଳାକୁ ମିଳିଛି ନୂଆ ଦିଗନ୍ତ । ଲକଡାଉନରେ ବି ବଦଳିଛି ରଘୁରାଜପୁରର ଦୃଶ୍ୟପଟ ।

Latest Posts

Don't Miss