ଓଡ଼ିଶାର ଦୀର୍ଘତମ ‘ଟି-ସେତୁ’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
1 min readକଟକ: ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ଲୋକାର୍ପିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଲୋକାର୍ପଣ । ୧୧୧କୋଟି ବ୍ୟୟରେ ନିର୍ମିତ ବହୁ ପ୍ରତିକ୍ଷିତ ବିକାଶର ସେତୁ ‘ଟି-ସେତୁ’ର ଉଦଘାଟନ ହୋଇଛି ।
ଏହି ହାଇଲେଭଲ ସେତୁ କଟକ ବଡ଼ମ୍ବା ନରସିଂହପୁରର ଗୋପିନାଥପୁର-ସିଂହନାଥ ପୀଠ ଓ ବୈଦ୍ୟେଶ୍ବରକୁ ସଂଯୋଗ କରିଛି । ଏହି ସେତୁ ହେବା ଦ୍ବାରା ୪୫ କିଲୋମିଟର ଦୂରତା କମିଛି । ଯାହାଦ୍ବାରା ଉପକୃତ ହେବେ ୫ ଲକ୍ଷ ଲୋକ । ସେତୁର ଲମ୍ବ ୩.୪ କିଲୋମିଟର ବା ୩ ହଜାର ୧୩୯ ମିଟର ।
କୃଷି, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିବ ଟି-ସେତୁ । ନୂଆ ସେତୁକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି । ବହୁ ଦିନର ଦାବି ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ଲୋକେ । ସେତୁ ଉଦଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ଆପଣମାନେ ଖୁସି ତ ବୋଲି ପଚାରିଥିଲେ ।
ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ସେତୁ ବୁଲି ଦେଖିଥିଲେ । ସେତୁରୁ ମହାନଦୀର ମନୋରମ ଦୃଶ୍ୟ ଉପଭୋଗ କରିଥିଲେ ମୁଖ୍ୟମନ୍ତ୍ରୀ । ନିଜର ପ୍ରିୟ ନେତା ଅଞ୍ଚଳକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଥରେ ଦେଖିବାକୁ ଲୋକଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଲାଗିଥିଲା । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବାରୁ ସ୍ଥାନୀୟ ବାସିନ୍ଦା ତାଙ୍କୁ ଭୁରୀ ଭୁରୀ ପ୍ରଶଂସା କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ସେତୁ ଲୋକାର୍ପଣ ପାଇଁ ପହଞ୍ଚିବା ପରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ପୂରା ଅଞ୍ଚଳ । ହାତ ହଲାଇ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ ।