କିମ୍ସ ଗ୍ରାମୀଣ ଡାକ୍ତରଖାନା ଓ କଲରାବାଙ୍କ ସ୍ମାର୍ଟ ଭିଲେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

1 min read

କଟକ: କଟକ ଜିଲ୍ଲା ସ୍ମାର୍ଟ ଭିଲେଜ୍ କଲରାବାଙ୍କରେ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କିମ୍ସ ଗ୍ରାମୀଣ ଡାକ୍ତରଖାନା ଓ କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ ଡାକ୍ତରଖାନାର ଭିତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ହସ୍ପିଟାଲ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଫଳ ହେବ । ଏହାସହ ସ୍ମାର୍ଟ ଭିଲେଜ୍ କଲରାବାଙ୍କ ପାଇଁ ଏହି ହସ୍ପିଟାଲ ଏକ ନୂଆ ପରିଚୟ ସୃଷ୍ଟି କରିବ ।

ନିଜ ଗାଁ ପାଇଁ ନିଜ ଜନ୍ମମାଟି ପାଇଁ କିଛି କରିବା ହେଉଛି ଜୀବନର ଶ୍ରେଷ୍ଠ ସନ୍ତୋଷ । କଲରାବାଙ୍କ ଗାଁର ରୂପାନ୍ତର ପାଇଁ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କିମ୍ସ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି ୧୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ କରାଯାଉଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ମହତ ଲକ୍ଷ୍ୟ ନେଇ ଆମେ କାମ କରୁଛୁ ଏବଂ ଓଡିଶାର ସବୁ ପରିବାର ଯେପରି ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ତାକୁ ଆମେ ପ୍ରାଧାନ୍ୟ ଦେଇ କାମ କରୁଛୁ ବୋଲି କହିଥିଲେ ।

ଏ ଦିଗରେ ଆମ ହସ୍ପିଟାଲ, ବିଏସକେଓ୍ବାଇ, ବିଏସକେଓ୍ବାଇ ନବୀନ କାର୍ଡ ଆଦି ଯୋଜନା କାର୍ଯ୍ୟକାରୀ କରାଯାଇଛି । ସରକାରଙ୍କ ଏହି ଉଦ୍ୟମରେ କିମ୍ସ ପରି ଘରୋଇ ସଂସ୍ଥାଗୁଡିକର ଯୋଗଦାନ ଆମର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆହୁରି ମଜବୁତ୍ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ କିମ୍ସର ପ୍ରତିଷ୍ଠାତା ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ କହିଥିଲେ, ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ସମାଜର ଦୁଇଟି ଅପରିହାର୍ଯ୍ୟ ଦିଗ । ମୁଖ୍ୟମନ୍ତ୍ରୀ ଏହି ଦୁଇଟି ଦିଗକୁ ଗୁରୁତ୍ୱର ସହ ନେଇ ଏହାର ବିକାଶ ଜରିଆରେ ଶୀର୍ଷରେ ପହଞ୍ଚାଇଛନ୍ତି । ମୁଖ୍ୟମନ୍ତ୍ରୀ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉନ୍ନତିକୁ ସମାନ ଭାବେ ପ୍ରାଧାନ୍ୟ ଦେଇଥାନ୍ତି । ଆଜି କଲରାବାଙ୍କ ଗ୍ରାମରେ ସହର ଭଳି ସମସ୍ତ ସୁବିଧା ଉପଲବ୍ଧ କରାଯାଇଛି । ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ 5T ଅଧ୍ୟକ୍ଷଙ୍କ ପ୍ରୋତ୍ସାହନ ପ୍ରଶଂସନୀୟ । କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନିଜ ଜନ୍ମ ମାଟି ଓ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ମହତ ଯୋଗଦାନକୁ ପ୍ରଶଂସା କରିଥିଲେ ।