spot_img

Latest Posts

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟରରେ ପୁରୀରେ ପହଞ୍ଚିବା ପରେ ସୁରକ୍ଷା ବଳୟରେ ମୁଖ୍ୟମନ୍ତ୍ରୀ ସଭା ସ୍ଥଳକୁ ଯାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବାର ଶୁଭାରମ୍ଭ କରିଥିଲେ । ଏହାସହ ବିଦ୍ୟାର୍ଥୀଙ୍କ ସହ ଭାବ ବିନିମୟ କରିଥିଲେ ନବୀନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ପୁରୀରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଦିଗରେ ସହାୟକ ହେବ ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ଆଜି ହେଉଛି ପୁରୀ ଜିଲ୍ଲା ପାଇଁ ଐତିହାସିକ ଦିବସ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ ଏକ ଉନ୍ନତମାନର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଏହାଦ୍ବାରା ମେଧାବୀ ଛାତ୍ରଛାତ୍ରୀମାନେ ମେଡିକାଲ ପାଠ ପଢିବା ସହିତ ପୁରୀ ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେଲା ।’

କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭବିଷ୍ୟତରେ ଭଲ ଡାକ୍ତର ହୋଇ ନିଷ୍ଠାପର ଭାବେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ଏହି କଲେଜ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପୁରୀର ସମ୍ବିତ ନାୟକ, ରାଜସ୍ଥାନର ପ୍ରଗତୀ ମୀନା ଓ ଓଡିଶାର ସିଦ୍ଧାର୍ଥ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇ ପୁରୀରେ ପଢିବାର ସୁଯୋଗ ପାଇଥିବାରୁ ଖୁସି ପ୍ରକାଶ କରିବା ସହ ଭବିଷ୍ୟତରେ ଚିକିତ୍ସା ସେବା କ୍ଷେତ୍ରରେ ପ୍ରତିଶୃତିବଦ୍ଧ ହୋଇ କାମ କରିବେ ବୋଲି କହିଥିଲେ । ପିଲାମାନେ କଲେଜର ଭିତ୍ତିଭୂମିର ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଭର୍ଚ୍ଚୁଆଲରେ ରହିଥିଲେ । ଏହାସହ ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ଯୋଜନାକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା  କରିଥିଲେ । ଏହାସହ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢିବା ସହିତ ଦେଶର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଜର ବଳିଷ୍ଠ ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ ।

ପୁରୀ ବାଲିଗୁଆଳି ନିକଟରେ ୫୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ୨୦୨୧-୨୦୨୨ ବର୍ଷ ପାଇଁ ଏମବିବିଏସ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଥମ ବ୍ୟାଚରେ ୩୦ ଜଣ ଛାତ୍ରୀଙ୍କ ସହ ୭୦ ଜଣ ଛାତ୍ର ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ମାଣ୍ଡଭିୟା ଛାତ୍ରମାନଙ୍କ ସହ ଭର୍ଚ୍ଚୁଆଲରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ମେଡିକାଲ କଲେଜରେ ପାଞ୍ଚ ତାଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହୋଇଥିବା ବେଳେ ବିଦ୍ୟାର୍ଥୀଙ୍କ ସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ସେହିପରି ପ୍ରଶାସନିକ ଭବନ, କ୍ୟାଣ୍ଟିନ ସମେତ କ୍ଲାସରୁମ, ଲ୍ୟାବ ନିର୍ମାଣ ହୋଇଛି । ଏଥିରେ ୧୫୦ ଛାତ୍ରୀ ଓ ୩୦୦ ଛାତ୍ରଙ୍କ ପାଇଁ ସୁବିଧା ରହିଛି । ମେଡିକାଲର ଏବେ ୨୧ଟି ବିଭାଗର ପାଠ୍ୟକ୍ରମ ଖୋଲିଛି । ପାଠ ପଢ଼ାଇବାକୁ ୧୫୦ ଜଣ ପ୍ରଫେସର, ବିଶେଷଜ୍ଞ, ସହକାରୀ ପ୍ରଫେସର ଯୋଗ ଦେଇସାରିଲେଣି । ବର୍ତ୍ତମାନ ପରିପ୍ରେକ୍ଷୀରେ କଲେଜ ସାମୟିକ ଭାବେ ପୁରୀ ଡାକ୍ତରଖାନାରେ ଚାଲୁଥିବା ବେଳେ ଆଗକୁ ୬୫୦ ବେଡ଼ ବିଶିଷ୍ଟ ନିଜସ୍ବ ଡାକ୍ତରଖାନାରେ ଚାଲିବା ନେଇ ନିର୍ମାଣ ଆରମ୍ଭ ହୋଇଛି ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ,  କ୍ରୀଡାମନ୍ତ୍ରୀ ତୃଷାରକାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର, ପୁରୀ ଜିଲ୍ଲାର ବିଧାୟକ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Latest Posts

Don't Miss