ଚାଷୀଙ୍କ ପାଇଁ ଖୁସି ଖବର, ଏଣିକି ଆଉ ଅସୁବିଧା ହେବନି ! ପ୍ରସ୍ତୁତ ହେଉଛି ଡାଟାବେସ୍‌

1 min read
Farmer Database

ଭୁବନେଶ୍ୱର: ରାଜ୍ୟରେ କେତେ ଚାଷୀ ଅଛନ୍ତି ? ଚାଷୀଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଚାଷୀଙ୍କ ଖୁସି ବଢ଼ିଯାଇଛି । ୭୬ ଲକ୍ଷ ଚାଷୀଙ୍କ ଡାଟାବେସ୍‌ର ପ୍ରସ୍ତୁତ ହେବା ପରେ ପରିଚୟପତ୍ର ମିଳିବ । ତ୍ରିସ୍ତରୀୟ କମିଟି ଚାଷୀଙ୍କ ତଥ୍ୟକୁ ଯାଞ୍ଚ କରିବା ପରେ ରେକର୍ଡ ପ୍ରସ୍ତୁତ କରାଯିବ ।

ଏଣିକି ଚାଷୀ କଲ୍ୟାଣ ଯୋଜନାରୁ ଆଉଟ୍ ହେବେ ନକଲି ଚାଷୀ । ତଥ୍ୟବିହୀନ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଉ ଯିବନି ଟଙ୍କା । କାରଣ ୧୦ଦିନ ଭିତରେ ୭୬ ଲକ୍ଷ ଚାଷୀଙ୍କ ଡାଟାବେସ୍ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଘର ଘର ବୁଲି ଭିଏଲଡବ୍ଲୁ ତଥ୍ୟ ସଂଗ୍ରହ କରିବେ । ଚାଷୀଙ୍କ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ ଓ ଆଧାରକାର୍ଡ ମାଧ୍ୟମରେ ଯାଞ୍ଚ କରିବ ତ୍ରିସ୍ତରୀୟ କମିଟି । ଜଣେ ଚାଷୀଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଯୋଜନା ବାବଦ ଅର୍ଥ କିଭଳି ଯିବ ନାହିଁ, ତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଯୋଗ୍ୟ ଚାଷୀଙ୍କୁ ମିଳିବ ପରିଚୟପତ୍ର । 5T କାର୍ଯ୍ୟକ୍ରମ ଦ୍ୱାରା କୃଷକ ଓଡ଼ିଶା, ଇନପୁଟ୍ ଡିଲରମାନଙ୍କ ପାଇଁ ଅନଲାଇନ୍ ଲାଇସେନ୍ସ, ଓୟୁଏଟି ଛାତ୍ରମାନଙ୍କୁ ଅନଲାଇନ୍ ସାର୍ଟିଫିକେଟ୍, କ୍ଷେତ୍ର କୃଷି କର୍ମଚାରୀଙ୍କୁ ଦକ୍ଷତା କାର୍ଯ୍ୟକ୍ରମ ସହ ସିଧା ଯୋଡ଼ି ପାରିବ ।

ତ୍ରୁଟିପୂର୍ଣ୍ଣ ଡାଟାବେସ୍ ପାଇଁ ବିଭିନ୍ନ କୃଷି କଲ୍ୟାଣ ଯୋଜନାରେ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ହେଉଥିଲା । ତେଣୁ ବାରମ୍ବାର ଚାଷୀଙ୍କ ତଥ୍ୟ ମାଗିବାକୁ ପଡ଼ୁଥିଲା । ହେଲେ କୃଷକ ଓଡ଼ିଶା ଡାଟାବେସ୍ ଏସବୁ ତ୍ରୁଟିକୁ ସୁଧାରିବ ବୋଲି ଚାଷୀ ଆଶା ରଖିଛନ୍ତି ।

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧି ଯୋଜାନରେ କିଛି ଚାଷୀ ବାଦ୍ ପଡ଼ୁଥିଲେ । କାଳିଆ ଯୋଜନାରେ ଭୂମିହୀନ ଚାଷୀ ଲାଭ ପାଇଛନ୍ତି । କୃଷିର ବିକାଶ ପାଇଁ ଓଡ଼ିଶା ଲଗାତାରା ଭାବେ କେନ୍ଦ୍ର କୃଷି କର୍ମଣ ପୁରସ୍କାର ପାଇ ଆସୁଛି । ନିର୍ଭୁଲ ଓ ନିରପେକ୍ଷ ଭାବେ ଚାଷୀଙ୍କୁ ହାତପାଆନ୍ତାରେ ସେବା ପ୍ରଦାନ କରିବାକୁ ଏବେ କୃଷକ ଓଡ଼ିଶା ଆରମ୍ଭ କରାଯାଇଛି ।

Leave a Reply