ଉଦଘାଟିତ ହେଲା କଳିଙ୍ଗ ଇଣ୍ଡୋର ଆଥଲେଟିକ୍ସ ଷ୍ଟାଡିୟମ

ଭୁବନେଶ୍ବର: କ୍ରୀଡା ଭିତ୍ତିଭୂମି ବିକାଶର ନୂଆ ଅଧ୍ୟାୟ । ଉଦଘାଟିତ ହେଲା କଳିଙ୍ଗ ଇଣ୍ଡୋର ଆଥଲେଟିକ୍ସ ଷ୍ଟାଡିୟମ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିୟମ । ଇଣ୍ଡୋର ଆଥଲେଟିକ୍ ଷ୍ଟାଡିୟମ ସହ ଇଣ୍ଡୋର ଡାଇଭିଂ ସେଣ୍ଟରର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ନବୀନ ।

ବିଶ୍ବ କ୍ରୀଡ଼ାର ସବୁଠାରୁ ବଡ଼ ଇଭେଣ୍ଟ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତ ଦାବିଦାର ଥିବା ବେଳେ ଓଡ଼ିଶା ହେବ ବଡ଼ ଭାଗୀଦାର । ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇଣ୍ଡାର ଆଥଲେଟିକ ଷ୍ଟାଡିୟମ । ଆଜି ଏହାକୁ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଠି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ହେବ ଟୁର୍ଣ୍ଣାମେଣ୍ଟ । ଆଥଲେଟିକର ବିକାଶ ଆହୁରି ତ୍ବରାନ୍ବିତ ହେବା ସହ ଖେଳାଳିମାନେ ବର୍ଷ ତମାମ ଅଭ୍ୟାସ କରିବାର ସୁଯୋଗ ପାଇବେ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଅତ୍ୟାଧୁନିକ ଜିମ୍ନାଷ୍ଟିକ ହଲ୍, ହାଇ ପରଫରମାନ୍ସ ସେଣ୍ଟର, ସ୍ପୋର୍ଟ୍ସ କ୍ଲାଇମିଂ ଓ୍ବାଲ୍, ବ୍ୟାଡମିଣ୍ଟନ ଓ ହକି ଉତ୍କର୍ଷ କେନ୍ଦ୍ର, ଫିପା ମାନର ଫୁଟବଲ ଷ୍ଟାଡିୟମ, ସିନ୍ଥେଟିକ ଟ୍ରାକ୍, ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ଓ ସନ୍ତରଣାଗାର ଆଦି କ୍ରୀଡ଼ାକ୍ଷେତ୍ରକୁ ସମୃଦ୍ଧ କରିବା ସହ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ବିଭିନ୍ନ ଅନ୍ତର୍ଜାତୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଦକ୍ଷତା ପ୍ରତିପାଦନ କରିଛି ଓଡ଼ିଶା । ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ୧୨୦ କୋଟି ଟଙ୍କାରେ ନିର୍ମିତ ଇଣ୍ଡୋର ଆଥଲେଟିକ୍ସ ଷ୍ଟାଡିୟମ । ଖେଳାଳିଙ୍କ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ଆଥଲେଟିକ୍ ଇଭେଣ୍ଟ ବିନା ବାଧାରେ ଆୟୋଜନ ହୋଇପାରିବ ବୋଲି ଅଲିମ୍ପିଆନ ଓ କ୍ରୀଡ଼ା ସମୀକ୍ଷକ କହିଛନ୍ତି ।