spot_img

Latest Posts

ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, କାଲିଠୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଆସନ୍ତାକାଲିଠାରୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଉପଲକ୍ଷେ ଭୁବନେଶ୍ବର କଳାମଣ୍ଡଳ ପରିସରରେ ନିର୍ମିତ ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଷର ଭୂମିର କାନ୍ଥବାଡ ବଖାଣୁଛି ଓଡ଼ିଆ ଲିପିର କାହାଣୀ । ପଥର ଖୋଦିତ ଅକ୍ଷର ସାଙ୍ଗକୁ ଦେଖିବାକୁ ମିଳୁଛି ଥ୍ରୀଡି ଝଲକ । ମନ ମୋହୁଛି ମୁକ୍ତେଶ୍ବର ମନ୍ଦିର ତୋରଣ ଆକୃତି ତୋରଣ । ଭାଷାବିତଙ୍କୁ ଟାଣିନେଉଛି ବୃହତ୍ ଆକୃତିର ଓଡ଼ିଆ ଲିପି `ଅ’। ସ୍ମାରକୀ ହେବାକୁ ଯାଉଛି ଭୁବନେଶ୍ବର କଳାମଣ୍ଡଳ ପରିସରରେ ଥିବା ଏହି ଭାଷା ସୌଧ ।

ଭୁବନେଶ୍ବର କଳାମଣ୍ଡଳ ପରିସରରେ ନିର୍ମାଣ ହୋଇଛି ଅକ୍ଷର ଭୂମି । ଭାଷାକୁ ନେଇ ତିଆରି ହୋଇଛି ନୂଆ କାରୁକାର୍ଯ୍ୟ । ଅକ୍ଷର ଭୂମିର ମଝି ଅଂଶରେ ମୁକ୍ତେଶ୍ଵର ମନ୍ଦିର ପରିସରରେ ଥିବା ତୋରଣ ଶୈଳୀରେ ଏକ ସୁନ୍ଦର ତୋରଣ ନିର୍ମାଣ କରାଯାଇଛି । ତୋରଣର ଠିକ୍ ପଛରେ ଓଡ଼ିଆ ଲିପି ‘ଅ’ର ବୃହତ ଅକ୍ଷର କରାଯାଇଛି । ଦୁଇ ପାର୍ଶ୍ଵରେ ୬ଟି ଅକ୍ଷର କାନ୍ଥ ରହିଛି । କାନ୍ଥ ଗୁଡ଼ିକରେ ଖଣ୍ଡୋଲାଇଟ୍ ପଥରକୁ ଖୋଦେଇ କରାଯାଇ ଓଡ଼ିଆ ବର୍ଣ୍ଣମାଳାକୁ ସ୍ଥାନ ଦିଆଯାଇଛି । ୪୦ ମିଟର ଲମ୍ବ ଓ ୩୦ ମିଟର ଚଉଡାର ଏହି ପ୍ରକଳ୍ପକୁ ସ୍ପାନ୍ଇନଫ୍ରା ବିଲଡର୍ସ ନିର୍ମାଣ କରିଛି । ଏଥିରେ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ସୁଜାତା ରାଉତ କାର୍ତ୍ତିକେୟନଙ୍କ ସମୀକ୍ଷା

ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୋଟ ୧୭ଟି ସେସନ୍ ରହିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଜନତା ମଇଦାନରେ ପହଂଚି ସମୀକ୍ଷା କରିଛନ୍ତି । ସମସ୍ତ ମଞ୍ଚ ବୁଲି ଦେଖିଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ । କେଉଁ ମଞ୍ଚର କାମ କେତେ ଦୂର ଆଗେଇଛି ବୁଲି ଦେଖିଛନ୍ତି । ବନ୍ଦେ ଉତ୍କଳ ଜନନୀ ଗାନ ରିହରସଲ ମଧ୍ୟ ଦେଖିଥିଲେ । ଉଦଘାଟନୀ ଦିବସରେ ଜଗନ୍ନାଥ ସଂସ୍କୃତି ଉପରେ ସ୍ବତନ୍ତ୍ର ଅଧିବେଶନ ରହିଛି । ସମୀକ୍ଷା ବେଳେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ପରିବହନ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, କେନ୍ଦ୍ରାଞ୍ଚଳ ଆରଡିସି ରଂଜନ ଦାଶ, ସତ୍ୟବ୍ରତ ସାହୁ, ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ, ଆଇଟି ସଚିବ ମନୋଜ ମିଶ୍ର, ଓପେପା ନିର୍ଦ୍ଦେଶକ ଅନୁପମ ଶାହା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ । କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଶ୍ୱ ଓଡ଼ିଆ ଭାଷା ସମିଳନୀ ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

Latest Posts

Don't Miss