୭ଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ବିଦ୍ୟୁତ ହେଉଛି ବିକାଶର ଜୀବନରେଖା । ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ । ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନ କରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ । ଆଜି ଭିଡିଓ କନ୍ଫରେନ୍ସିଂ ଯୋଗେ ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସମ୍ପନ୍ନ ଗ୍ରୀଡ ସବଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନ ଉଦଘାଟନ କରି ଲୋକଙ୍କୁ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ୬ଟି ଉଚ୍ଚଶକ୍ତି ସମ୍ପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ଗୋଟିଏ ୨୨୦ କେଭି ଡବଲ ସର୍କିଟ ଟ୍ରାନ୍ସମିଶନ ଲାଇନ ପାଇଁ ୪୫୦ କୋଟି ଟଙ୍କା ବିନିଯୋଗ ହୋଇଛି ।

ଏହି ଅବରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହି ନୂତନ ବ୍ୟବସ୍ଥା ଦ୍ବାରା କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, କେନ୍ଦୁଝର, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀ, ଛାତ୍ରଛାତ୍ରୀ ଓ ମାଆମାନେ ବିଶେଷ ଉପକାର ପାଇବେ । କ୍ଷୁଦ୍ର ଶିଳ୍ପ ଓ ଜଳସେଚନ ପ୍ରକଳ୍ପଗୁଡିକ ମଧ୍ୟ ଉପକାର ପାଇବେ ।’

ସେ ଆଗକୁ କହିଥିଲେ, ‘ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୩୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଓଡ଼ିଶା ଡିଷ୍ଟ୍ରିବୁସନ ଷ୍ଟ୍ରେନ୍ଥନିଂ ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୩୦ଟି ୩୩/୧୧ କେଭି ସବ୍‌ଷ୍ଟେସନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟରେ ଲୋ-ଭୋଲ୍‌ଟେଜ ସମସ୍ୟା ଦୂର କରିବା ପାଇଁ ସରକାର ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟରେ  ୧୮୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ।’

କାର୍ଯ୍ୟକ୍ରମରେ ସମ୍ବଲପୁରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଷାନ୍ତ ସିଂ, ଖୋର୍ଦ୍ଧାରେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା, କଳାହାଣ୍ଡିରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କେନ୍ଦୁଝରରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ  ଓ ରାୟଗଡା-ଗୁଣୁପୁରରେ ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ବିଦ୍ୟୁତ ଭିତ୍ତିଭୂମିର ବିକାଶ ଦ୍ବାରା ରାଜ୍ୟର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି ବୋଲି ମତବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବକୁ ପ୍ରଶଂସା କରିଥିଲେ

କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେଇଥିଲେ । OPTCLର ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।